ଏସ୍ଆଇଆର ଅଭିଯାନକୁ ସଫଳ କରିବାକୁ ଝାରସୁଗୁଡାବାସୀଙ୍କୁ ଆହ୍ଵାନ ଦେଲେ ପୂର୍ବତନ ବିଧାୟିକା ଦୀପାଳି ଦାସ
Ex mla Dipali Das enroll her name
Ex mla Dipali Das


ଝାରସୁଗୁଡା, ୭ ଜୁନ୍ (ହି.ସ.)- ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ଭାରତ ସରକାରଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ଅଭିଯାନ ଅନ୍ତର୍ଗତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ବ୍ୟାପକ ଭାବେ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ବିଧାୟିକା ଦୀପାଳୀ ଦାସ ନିଜ ପରିବାର ସହ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ରବିବାର ସ୍ଥାନୀୟ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଦୀପାଳୀ ଦାସ, ତାଙ୍କ ମାତା ମିନତୀ ଦାସ ଓ ଯୁବ ସମାଜସେବୀ ବିଶାଳ ଦାସ ନିଜ ବାସଭବନରେ ଆନୁଷ୍ଠାନିକ ଭାବେ ଏହି ପ୍ରକ୍ରିୟା ସମ୍ପନ୍ନ କରିଥିଲେ।

ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦୀପାଳୀ ଦାସ କହିଥିଲେ ଯେ, ଦେଶର ବିକାଶ ଓ ପ୍ରଗତି ପାଇଁ ସଠିକ୍ ତଥ୍ୟ ସଂଗ୍ରହ ଅତ୍ୟନ୍ତ ଜରୁରୀ। ଭାରତ ସରକାରଙ୍କ ଏହି ଅଭିଯାନ ସୁଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସ୍ୱଚ୍ଛ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ମତ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ନିର୍ଭୁଲ ପରିସଂଖ୍ୟାନ ଆଧାରରେ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ସମ୍ଭବ ହୋଇଥାଏ। ଜନସେବାକୁ ଅଧିକ ପ୍ରଭାବଶାଳୀ କରିବା ଓ ସଠିକ୍ ତଥ୍ୟ ସଂଗ୍ରହକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସେ ନିଜ ପରିବାର ସହ ଏହି ଅଭିଯାନରେ ଅଂଶଗ୍ରହଣ କରିଥିବା କହିଥିଲେ।

ଦୀପାଳୀ ଦାସ ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ଏହି ଜାତୀୟ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ। ପ୍ରତ୍ୟେକ ପରିବାର ନିଜର ସଠିକ୍ ସୂଚନା ପ୍ରଦାନ କରି ପ୍ରଶାସନକୁ ସହଯୋଗ କରିବା ସହ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବାରେ ନିଜ ଭୂମିକା ନିଭାଇବାକୁ ସେ ଅନୁରୋଧ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande