
ଭୁବନେଶ୍ୱର, 07 ଜୁନ୍ (ହି.ସ.) ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୨୦୪ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ ମାଧ୍ୟମରେ ଏହି ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କୋରାପୁଟ ଜିଲ୍ଲାର ମାଛକୁଣ୍ଡଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ।
ସେ କହିଥିଲେ ଯେ, ଶିକ୍ଷା ହେଉଛି ସମାଜର ସର୍ବାଙ୍ଗୀଣ ବିକାଶର ମୂଳ ଆଧାର। ଜ୍ଞାନର ଆଲୋକ ମାଧ୍ୟମରେ ଓଡ଼ିଶାର ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ସରକାର ଦୃଢ଼ ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଯୋଜନା ସେହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ମତ ପ୍ରକାଶ କରିଥିଲେ।
ଡ. ମହାଲିଙ୍ଗ କହିଥିଲେ ଯେ, ଏକଦା ଉପାନ୍ତ ଅଞ୍ଚଳ ଭାବେ ପରିଚିତ କୋରାପୁଟ ଜିଲ୍ଲା ଆଜି ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ଏବଂ ନିଯୁକ୍ତି କ୍ଷେତ୍ରରେ ନୂତନ ସମ୍ଭାବନାର କେନ୍ଦ୍ରବିନ୍ଦୁ ପାଲଟିଛି। ଜାତୀୟ ଶିକ୍ଷା ନୀତି–୨୦୨୦କୁ ପ୍ରାଧାନ୍ୟ ଦେଇ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ଆଧୁନିକ ଏବଂ ଗୁଣାତ୍ମକ କରିବା ଦିଗରେ ପଦକ୍ଷେପ ନେଉଛନ୍ତି।
ସେ ଆହୁରି କହିଥିଲେ ଯେ, ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଆଗାମୀ ପିଢ଼ିର ସ୍ୱପ୍ନକୁ ସାକାର କରିବା ସହିତ ‘ବିକଶିତ ଭାରତ’ ଏବଂ ‘ବିକଶିତ ଓଡ଼ିଶା’ ଗଠନରେ ଏକ ଦୃଢ଼ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ବାର୍ତ୍ତା କାର୍ଯ୍ୟକ୍ରମକୁ ଅଧିକ ପ୍ରେରଣାଦାୟକ ଏବଂ ସଫଳ କରିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ