
ଝାରସୁଗୁଡା, ୭ ଜୁନ୍ (ହି.ସ.)- ଆସନ୍ତା ଜୁନ୍ ୧୨ ତାରିଖରୁ ଏମ୍ ସି ଏଲ - ବି ଏମ୍ ଆର୍ ସି କାର୍ଡିଆକ କେୟାର ହସ୍ପିଟାଲର ବର୍ହିବିଭାଗ ସେବା କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ହସ୍ପିଟାଲ ପରିସର ଗସ୍ତ କରି ଚାଲୁ ରହିଥିବା ବିଭିନ୍ନ ନିର୍ମାଣ ଓ ଆନୁଷଙ୍ଗିକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଦାରଖ କରିଛନ୍ତି। ହସ୍ପିଟାଲକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଉଛି।
ଜିଲ୍ଲାପାଳ ଶ୍ରୀ ଚହ୍ବାଣ ହସ୍ପିଟାଲର ବିଭିନ୍ନ ୱାର୍ଡ, ଓପିଡି କାଉଣ୍ଟର ଏବଂ ଚିକିତ୍ସା ଉପକରଣ ସ୍ଥାପନ କାର୍ଯ୍ୟର ସମୀକ୍ଷା କରିବା ସହ ଏହାକୁ ଆହୁରି ତ୍ୱରାନ୍ୱିତ କରିବାକୁ କହିଛନ୍ତି। ସ୍ୱାସ୍ଥ୍ୟ ସେବା ଯେପରି ସୁରୁଖୁରୁରେ ଆରମ୍ଭ ହୋଇପାରିବ, ସେଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି। ଏହି ଅତ୍ୟାଧୁନିକ ହସ୍ପିଟାଲ ଆରମ୍ଭ ହେବା ଦ୍ବାରା ସ୍ଥାନୀୟ ଅଞ୍ଚଳର ହୃଦରୋଗୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ। ଏହି ଗସ୍ତ ସମୟରେ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ପୂର୍ତ୍ତ ବିଭାଗ, ସାଧାରଣ ବିଦ୍ୟୁତ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ ଏବଂ ବି ଏମ୍ ର କର୍ତ୍ତୃପକ୍ଷଙ୍କୁ ମିଳିତ ଭାବେ କାର୍ଯ୍ୟ କରି ବାକି ରହିଥିବା ସମସ୍ତ ବିଦ୍ୟୁତ, ଜଳଯୋଗାଣ ଓ ନିର୍ମାଣ ସମ୍ପର୍କିତ କାର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଛି। ଜୁନ୍ ୧୨ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ