


ବଲାଙ୍ଗିର, ୭ ଜୁନ୍ (ହି.ସ.)-ଆନ୍ତଃଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ମୁଖ୍ୟମନ୍ତ୍ରୀ ଟ୍ରଫି–୨୦୨୬ ଫୁଟବଲ୍ ଚାମ୍ପିୟନସିପ୍ ର ଦ୍ୱିତୀୟ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍, ବଲାଙ୍ଗିରରେ ଅନୁଷ୍ଠିତ ହୋଇଥିଲା। ବାଳିକା ବର୍ଗର ଫାଇନାଲ୍ ରେ ବରଗଡ଼ ଓ ଦେବଗଡ଼ ମଧ୍ୟରେ ହୋଇଥିବା ରୋମାଞ୍ଚକର ମୁକାବିଲାରେ ବରଗଡ଼ ୨–୧ ଗୋଲ୍ ରେ ବିଜୟୀ ହୋଇ ଜୋନ୍ ଚାମ୍ପିୟନ୍ ଟ୍ରଫି ହାସଲ କରିଛି। ଏହି ଅବସରରେ ବରଣ୍ୟ ଅତିଥି ଭାବେ ବଲାଙ୍ଗିର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଓ ଅତିରିକ୍ତ ଜିଲ୍ଲାପାଳ ଡଃ. ବିଜୟାନନ୍ଦ ସେଠୀ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ବିତରଣ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଫୁଟବଲ୍ ଏସୋସିଏସନ୍ ଓ ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ଡଃ. ଶ୍ରୀକର ମିଶ୍ର, ଯୁଗ୍ମ ସମ୍ପାଦକ କୃଷ୍ଣଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ୍ ସମ୍ପାଦକ ଶରତ କୁମାର ନନ୍ଦ, ବରିଷ୍ଠ ସଦସ୍ୟ ଡଃ. ସିଦ୍ଧେଶ୍ୱର ମିଶ୍ର, ସୁଧୀର ଚନ୍ଦ୍ର ପଣ୍ଡା, ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାସର ବାଗ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ମ୍ୟାଚ୍ ପରିଚାଳନାର ଦାୟିତ୍ୱ ସୀତା ମାରାଣ୍ଡି, ମାମା ସିଂ, ଅନିତା ମହାନନ୍ଦ ଓ ପ୍ରିୟଙ୍କା ବିଶିଙ୍କୁ ଦିଆଯାଇଥିଲା। ସୁରେଶ କୁମାର ଦାଶ ମ୍ୟାଚ୍ କମିଶନର ଭାବେ କାର୍ଯ୍ୟଭାର ନିଭାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ