
ଜୟପୁର, ୭ ଜୁନ୍ (ହି.ସ.)-
ଅବିଭକ୍ତ କୋରାପୁଟ ଜିଲାରେ ଅନ୍ ଲାଇନ୍ ଗେମ୍ ପିଲାଠାରୁ ବୁଢାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପାଗଳ କରିଛି । ଅନ୍ ଲାଇନ ଖେଳ ଆକୃଷ୍ଟ କରୁଛି । ଅନ ଲାଇନ ଜୁଆ ଖେଳ ହାରି କୋରାପୁଟର ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାଯାଇଛି l ବର୍ତମାନ ଖରା ଛୁଟି ଥିବାରୁ ମୋବାଇଲ ବ୍ୟବହାର ବଢିଛି l
କଂପ୍ୟୁଟର ବା ମୋବାଇଲରେ ଖେଳାଯାଉଥିବା ଯେ କୌଣସି ଖେଳ ଯେ ଜୁଆଠାରୁ କୌଣସି ଗୁଣରେ କମ୍ ନୁହେଁ ଏକଥା ସମସ୍ତ ଜାଣନ୍ତି; ମାତ୍ର ଖେଳୁଛନ୍ତି । ପ୍ରଯୁକ୍ତିବିଦ୍ୟା ଆମ ଜୀବନକୁ ବହୁତ ସହଜ କରିଦେଇଛି ; କିନ୍ତୁ ପ୍ରଯୁକ୍ତିର ସୁଫଳ ତୁଳନାରେ ଏହାର ବିପରୀତ ଫଳ ଆମକୁ ଅଧିକ ବିପଦରେ ପକାଉଛି । ଅନ୍ ଲାଇନ ଗେମ୍ ଗୁଡ଼ିକ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ଏମିତି କଳା ଦୁନିଆ ଯାହା ପ୍ରଥମେ ଆମର ଯୁବପିଢିଙ୍କ ଗଳାରେ ଫାଶ ହୋଇଥିଲା l ଏବେ ଏହା ସମାଜର ସବୁବର୍ଗର ଲୋକଙ୍କୁ ନିଜର ଅକ୍ତିଆରକୁ ନେଲାଣି । ପ୍ରାରମ୍ଭରେ ଏହି ଖେଳଗୁଡ଼ିକ କେବଳ ମନୋରଞ୍ଜନ ପାଇଁ ଖେଳାଯାଏ; କିନ୍ତୁ ଏହା ଧୀରେ ଧୀରେ ଏକ ନିଶାରେ ପରିଣତ ହୁଏ । ପିଲା ଏବଂ ଯୁବକମାନେ ଦିନରାତି ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ ଖେଳ ଖେଳିବାରେ ବ୍ୟସ୍ତ ରହନ୍ତି । ଏହା କେବଳ ସେମାନଙ୍କ ପାଠପଢ଼ା ଓ ବୃତିକୁ ପ୍ରଭାବିତ କରେନାହିଁ, ବରଂ ଏହାଦ୍ୱାରା ସେମାନଙ୍କର ମାନସିକ ଏବଂ ଶାରୀରିକ ସାସ୍ଥ୍ୟ ମଧ୍ୟ ଖରାପ ହେବାକୁ ଲାଗେ । ଅବିଭକ୍ତ କୋରାପୁଟ ଜିଲାର ଗାଁ ଗହଳି ଯୁଆଡେ ଗଲେ ପିଲାମାନେ ମୁହଁ ତଳକୁ କରି ମୋବାଇଲରେ କ'ଣସବୁ କରୁଛନ୍ତି । ଦଳଦଳ ହୋଇ ପିଲାଏ ବସିଥିବେ ମାତ୍ର କେହି କାହା ସହିତ କଥା ହେଉନଥିବେ l ନିଜ ନିଜ ମୋବାଇଲରେ ମୁଣ୍ଡମାଡି ଦେଇଥିବେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ ଲାଇନ୍ ଗେମ୍ ହିଁ ଖେଳିଥାନ୍ତି । ଆଗରୁ ଅନ୍ ଲାଇନ ଖେଳଗୁଡିକରେ ବିଭିନ୍ନ ଚ୍ୟାଲେଞ୍ଜ ମିଳୁଥିଲା ଯାହାକୁ ଖେଳାଳି ସମ୍ମୁଖୀନ ହୋଇ ନିଶାଗ୍ରସ୍ତ ଭାବେ ଖେଳୁଥିଲା । ଏବେ ଏସବୁରେ ଯୋଡି ହୋଇଯାଇଛି ଟଙ୍କା । ଅଧିକାଂଶ ଖେଳରେ ଟଙ୍କା ବିନିଯୋଗ କରି ଖେଳିବାର ବିକଳ୍ପ ଅଛି । ତେବେ ଟଙ୍କା ବିନିଯୋଗ କରି ଖେଳାଯାଉଥିବା ଖେଳଗୁଡିକ ନୂଆ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏମିତି ଖେଳଗୁଡ଼ିକରେ ଅନେକ ଯୁବକ ହଜାର ହଜାର ଟଙ୍କା ହରାଉଛନ୍ତି ଏବଂ ଅନେକ ସମୟରେ ଋଣରେ ବୁଢ଼ିଯାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି । ଏହି ଖେଳରେ ଜିତି ଲାଭବାନ ହେବା ବ୍ୟକ୍ତିଙ୍କ ପ୍ରତିଶତ ଅତି କମ ହୋଇଥିବା ବେଳେ ଶହଶହ ଯୁବକ ନିଜର ପୁଞ୍ଜି ହରାଇ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଉଛନ୍ତି । ଏହି ଖେଳଗୁଡ଼ିକ ପିଲାମାନଙ୍କୁ ସାମାଜିକ ଜୀବନରୁ ଦୂରେଇ ନେଉଛି । ଅନ୍ ଲାଇନ ଗେମ୍ ରେ ବୁଡ଼ି ରହୁଥିବା ପିଲାଏ ଘର ପରିବାର ଲୋକଙ୍କ ସହ ମିଶନ୍ତି ନାହିଁ, ସମାଜରେ କ'ଣ ଘଟୁଛି ସେଥିରେ ସେମାନଙ୍କ ରୁଚି ନଥାଏ, ସେମାନେ ଏକାକୀତ୍ବର ଶିକାର ହୁଅନ୍ତି ଏବଂ ମାନସିକ ଚାପ ମଧ୍ଯରେ ରହିଥାନ୍ତି । ମନସ୍ତତ୍ବବିତ୍ ମାନଙ୍କ ମତରେ ଅନ୍ ଲାଇନ ଗେମ୍ ଏକ ଅଦୃଶ୍ୟ ନିଶା । ଏହି ନିଶା ଡ୍ରଗ ଠାରୁ ମଧ୍ୟ ମାରାତ୍ମକ । କାରଣ ଏଥିରୁ ବାହାରିବା ସହଜ ନୁହେଁ । ଆଉ ଏକ ଗୁରୁତର ବିଷୟ ହେଲା ଏହି ଗେମ୍ ରେ ପ୍ରାୟତଃ ପିଲାମାନେ ହାରିଥାନ୍ତି ଓ ନିଜର ଅର୍ଥ, ସମୟ ଓ ମାନସିକ ଶାନ୍ତି ହରାଇଥାନ୍ତି । ହେଲେ ଏ କଥା ସେମାନେ କାହା ଆଗରେ କହିନଥାନ୍ତି । ଏମିତିକି ଲକ୍ଷ ଲକ୍ଷ ଟଙ୍କା ହାରି ଥାନ୍ତି । ସେମାନଙ୍କର ଏହି ନୀରବତାର ସୁଯୋଗ ନେଇ ଅନ୍ ଲାଇନରେ ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଗେମିଂ ଆପ୍ ଚଲାଉଥିବା କମ୍ପାନୀଗୁଡ଼ିକ ପ୍ରଥମେ ଯୁବପିଢ଼ିଙ୍କୁ ଜିତିବାର ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରନ୍ତି । କିଛି ମନସ୍ତତ୍ବବିତ୍ ଙ୍କ ମତରେ ଏହି ଖେଳଗୁଡ଼ିକ ଏକ ନିଶା ପରି କାମ କରେ । ଟିକିଏ ଜିତିବା ଦ୍ବାରା ପ୍ରାରମ୍ଭରେ ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କରେ ଏକ ବିଶେଷ ପ୍ରକାରର ହରମୋନ ସୃଷ୍ଟି ହୁଏ ଯାହା ତାଙ୍କୁ ବାରମ୍ବାର ଖେଳିବାକୁ ପ୍ରେରଣା ଦିଏ । ପରେ ଏମିତି ଗୋଟେ ଅବସ୍ଥା ଆସେ ଯେତେବେଳେ ପିଲାଟି ଖେଳରୁ କୌଣସି ଆନନ୍ଦ ପାଉନଥିଲେ ବି ନିଶାଗ୍ରସ୍ତ ହୋଇ ଖେଳିଥାଏ । ତେଣୁ ପ୍ରଶାସନ ତରଫରୁ କଲେଜ, ବିଦ୍ୟାଳୟରେ ସେଚେତନତା କଲେ ଏହାକୁ କମାଯାଇ ପାରିବ ବୋଲି ମତ ପ୍ରକାଶ ପାଇଛି l
ହିନ୍ଦୁସ୍ଥାନ ସମାଚାର / ପିକେପି