

ଜୟପୁର, ୭ ଜୁନ୍ (ହି.ସ.)- ବର୍ଷ ବର୍ଷ ଧରି ଅଧାପନ୍ତରିଆ ହୋଇ ପଡିଛି ରାସ୍ତା l ବଢୁଛି ଦୁର୍ଗମ ବାସୀଙ୍କ ଦୁର୍ଦ୍ଦଶା। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ନେଇ ଭିଜିଲାନ୍ସରେ ମାମଲା ପହଂଚିଥିଲା । ସରକାରଙ୍କ ଅପାରଗତା କାରଣରୁ ୨୦୧୪ ର ଏହି ମାମଲା ଏ ପର୍ଯ୍ୟନ୍ତ ତଦନ୍ତ ଶେଷ ହୋଇପାରିଲା ନାହିଁ। ଯଦ୍ୱାର ରାସ୍ତା ନିର୍ମାଣ ପାଇଁ ରି ଟେଣ୍ଡର ହୋଇ ପାରୁନାହିଁ। ସରକାର ଏବଂ ପୂର୍ତ୍ତ ବିଭାଗର ଅବହେଳା କାରଣରୁ ବର୍ଷ ବର୍ଷ ଧରି ଦୁର୍ଦ୍ଦଶା ଭୋଗୁଛନ୍ତି ଦୁର୍ଗମ ଅଞ୍ଚଳ ବାସୀ। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସୀ।
ବୋରିଗୁମ୍ମା ବ୍ଲକ ତରାଭାଟ୍ଟା ଠାରୁ କାଠରଗଡା ରାସ୍ତା। ୧୩ କି.ମି. ରାସ୍ତା ୧୨ ବର୍ଷ ହେବ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇପଡ଼ିଛି। ବର୍ଷ ବର୍ଷ ଧରି ଦୁର୍ଦ୍ଦଶା ଭୋଗୁଛନ୍ତି ଦୁର୍ଗମ ଅଞ୍ଚଳ ବାସୀ। ରାସ୍ତାରୁ ମେଟାଲ ପଥର ଉଠି ଯାଉଛି, ସ୍ଥାନେ ସ୍ଥାନେ ବଡ଼ ବଡ଼ ଖାଲଖମା ତା ସାଙ୍ଗକୁ ଧୂଳି ସରସର ରହିଛି ରାସ୍ତା । ୧୨ ବର୍ଷ ହେବ ଏଭଳି ଅବସ୍ଥାରେ ପଡି ରହିଛି ଏହି ରାସ୍ତା। ଦୀର୍ଘ ବର୍ଷ ହେବ ପକ୍କା ରାସ୍ତା ନିର୍ମାଣ ନ ହେବା ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ୪ ପଂଚାୟତ ବାସୀ। ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଥିବା ବେଳେ ଏହି ରାସ୍ତା ଉପରେ ଗୁମୁଡା, କାଠରଗଡା, ଚମ୍ପାପଦର, ହରଡ଼ାଗୁଡା ଭଳି ପଂଚାୟତ ବାସୀ ନିର୍ଭର କରନ୍ତି। ଏହି ରାସ୍ତାରେ ଦୈନିକ ଅନେକ ଘରୋଇ ବସ ସହ ମୁରାନ ମେଗା ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଭାରି ଜାନ ଚଳାଚଳ କରୁଛି। ଶୀତ ଓ ଖରା ଦିନେ କଷ୍ଟେ ମଷ୍ଟେ ଏହି ରାସ୍ତାରେ ଯାତାୟାତ ହେଉଛି। କିନ୍ତୁ ବର୍ଷା ଦିନେ ବସ ଯାଏ ନି କି ରୋଗୀଙ୍କୁ ନେବାପାଇଁ ଆମ୍ବୁଲାନ୍ସ ଆସି ପାରୁ ନାହିଁ। ଫଳରେ ଏହି ରାସ୍ତା ଯୋଗୁଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଦରପନ୍ତରିୟା ହୋଇ ପଡି ରହିଥିବା ଏହି ରାସ୍ତାଟିକୁ ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତୁ ବୋଲି ୪ଖଣ୍ଡ ପଞ୍ଚାୟତ ବାସୀ ଦାବି କରିଛନ୍ତି ।
ସେପଟେ ଗତ ୨୦୧୩-୧୪ ଆର୍ଥିକ ବର୍ଷରେ ଏହି ୧୩ କି.ମି. ରାସ୍ତା ନିର୍ମାଣ ପାଇଁ ୧୪ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ରାସ୍ତା ନିର୍ମାଣ କାର୍ଯ୍ୟ ଏକ ବର୍ଷ ମଧ୍ୟରେ ସରିବା ପାଇଁ ଚୁକ୍ତି ହୋଇ ବୋରିଗୁମ୍ମା ପୂର୍ତ୍ତ ବିଭାଗ ଅଧୀନରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ନେଇ ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଭିଜିଲାନ୍ସରେ ତଦନ୍ତ ପାଇଁ ଅଭିଯୋଗ ହୋଇଥିଲା। ସେହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମଟି ବନ୍ଦ ହୋଇ ପଡିଛି। ସରକାରଙ୍କ ଅଣଦେଖା ଏବଂ ପୂର୍ତ୍ତ ବିଭାଗର ନୀରବତା ଯୋଗୁଁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ହୋଇ ପଡିଛି। ଏବେ ସରକାର ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସୀ। ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେଉ ନଚେତ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।
ତେବେ ବାର ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ତାରାଭଟ୍ଟା ଠାରୁ କାଠରଗଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଛି ଯଦ୍ୱାରା ଅଞ୍ଚଳ ବାସୀ ପୂର୍ତ୍ତ ବିଭାଗ ଏବଂ ରାଜନେତାଙ୍କୁ ବାରମ୍ବାର ଗୁହାରି କଲେ ବି କୌଣସି ସୁଫଳ ମିଳି ପାରୁନି। ସରକାର ବଦଳିଲା ଭଳି ଏବେ ଏହି ରାସ୍ତାର ରୂପରେଖ ବି ବଦଳିବା ଦରକାର ବୋଲି ସାଧାରଣରେ ଦାବି ହେଉଛି। ତେଣୁ ରାଜ୍ୟ ସରକାର ରାସ୍ତା ନିର୍ମାଣ କରି ୪ ପଂଚାୟତ ବାସୀଙ୍କ ଦୁଃଖ ଦୂର କରିବାକୁ ଦାବି କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି