
ମାଲକାନଗିରି, ୭ ଜୁନ୍ (ହି.ସ.)- ଏସବିଆଇ ମାଲକାନଗିରି ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମା'ଙ୍କ ନାମରେ ଗୋଟିଏ ଗଛ ଅଭିଯାନ ଅନ୍ତର୍ଗତ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମାଲକାନଗିରି ଶାଖା ପରିସରରେ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା l
ଏହି କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଶାଖାର ମୁଖ୍ୟ ପ୍ରବନ୍ଧକ ବିନୋଦ କୁମାର ବିଷୋୟୀ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ l ଏହା ବ୍ୟତୀତ ଉପ-ଶାଖା ପ୍ରବନ୍ଧକ ଅଜିତ କୁମାର ଆଚାର୍ଯ୍ୟ, ଆରଏମ୍ଏସଏମ୍ଇ ଅଧିକାରୀ ବୈଷ୍ଣବ ହାଁସଦା, କ୍ୟାସ ଅଫିସର ନିର୍ମଳ କୁମାର ଵେବର୍ତ୍ତା, ଫିଲ୍ଡ଼ ଅଫିସର ରୋହିତ କୁମାର ଟପ୍ପୋ, ସବ୍ୟସାଚୀ ଦାସ ଏବଂ ମାଲକାନଗିରି ସରକାରୀ ମହାବିଦ୍ୟାଳୟର +୩ ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀମାନେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l
କାର୍ଯ୍ୟକ୍ରମ ଅବସରରେ ବ୍ୟାଙ୍କ ପରିସରରେ ଆମ୍ବ ଗଛ, ପିଜୁଳି ଗଛ, ଓଉ ଗଛ ସମେତ ଅନ୍ୟାନ୍ୟ ଫଳ ଓ ଅନେକ ଛାୟାଦାୟୀ ବୃକ୍ଷ ରୋପଣ କରାଯାଇଥିଲା l ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ଆଗାମୀ ପୀଢ଼ି ପାଇଁ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ଗଠନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା l
ମୁଖ୍ୟ ଅତିଥି ଡକ୍ଟର ସ୍ୱାଇଁ ତାଙ୍କ ବକ୍ତବ୍ୟରେ ବୃକ୍ଷର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l ମୁଖ୍ୟବକ୍ତା ଶ୍ରୀ ବିଷୋୟୀ ସମସ୍ତଙ୍କୁ ପରିବେଶ ସୁରକ୍ଷା ପାଇଁ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବାକୁ ଆହ୍ୱାନ ଜଣାଇଥିଲେ l ଶେଷରେ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀମାନେ ମା'ଙ୍କ ନାମରେ ଗୋଟିଏ ଗଛ ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରି ପରିବେଶ ସୁରକ୍ଷାରେ ସାମିଲ ହେବା ପାଇଁ ସମସ୍ତ ନାଗରିକଙ୍କୁ ଆହ୍ୱାନ ଜଣାଇଥିଲେ l
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ