
ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଲୋଚନା
ବଲାଙ୍ଗୀର, ୦୧ ଜୁଲାଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଂଚାୟତର ଘୁଷୁରାମୁଣ୍ଡା ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଗତ ୨୪ ତାରିଖରୁ ତାଲା ଦେଇଛନ୍ତି ଗ୍ରାମବାସୀ। ସୂଚନା ଅନୁଯାଇ, ଘୁଷୁରାମୁଣ୍ଡା ଗ୍ରାମର ଛଅ ନମ୍ବର ୱାର୍ଡ଼ର ଅଙ୍ଗନୱାଡ଼ି କେନ୍ଦ୍ରର ପାଚିକାଙ୍କ ମୃତ୍ୟୁ ପରେ ନୂତନ ପାଚିକା ପଦ ପାଇଁ ନିଯୁକ୍ତି ବାହାରିବାରୁ ଗ୍ରାମର ୬ଜଣ ଫର୍ମ ଦାଖଲ କରିଥିଲେ ହେଲେ ନିୟମ ଅନୁଯାଇ ଗାଁର ପୁଣ୍ୟ ହରପାଳ ପାଚିକା ପଦ ପାଇଛନ୍ତି। ଆଦିବାସୀ ବହୁଳ ଗ୍ରାମ ହୋଇଥିବାରୁ ଆଦିବାସୀ ପରମ୍ପରା ଅନୁଯାୟୀ ଆମେ ଆମେ କିମ୍ୱା ଆମ ଛୁଆ ଅନୁସୁଚିତ ଜନଜାତିର ହାତରନ୍ଧା ଖାଇପାରିବୁ ନାହିଁ ବୋଲି ଜିଦ୍ଧରି କେନ୍ଦ୍ରକୁ ତାଲା ଦେଇଛନ୍ତି। କହିଛନ୍ତି ପାଚିକା ପଦ ଅନୁସୁଚିତ ଜାତି ଛଡ଼ା ଅନ୍ୟ ମହିଳାଙ୍କୁ ଚାକିରି ଦିଆଯାଉ ବୋଲି ଦାବି କରିଛନ୍ତି ଓ ଦାବି ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଲା ବନ୍ଦ କରି ଦେଇଛନ୍ତି ଗ୍ରାମବାସୀ। ଗତ ୨୬ ତାରିଖରେ ଅଭିଯୋଗ ପାଇ ମୁରିବାହାଲ ଆଇଆଇସି ବୁଲୁ ମୁଣ୍ଡା ତହସିଲଦାର ଜଗଦୀଶ କର୍ତାମୀ ଏବଂ ସିଡିପିଓ ପୂର୍ଣ୍ଣିମା ବୈଠାରୁ ଘଟଣା ସ୍ଥଳକୁ ଯାଇ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ଆଜି ପୁଣି ଦିନ ୧୨ ଘଂଟା ସମୟରେ ଗ୍ରାମସଭା ବସି ସମାଧାନ ପାଇଁ ଆଲୋଚନା ହୋଇଥିଲା। ଆଲୋଚନାରେ ନବନିଯୁକ୍ତ ପାଚିକା ରନ୍ଧା କାର୍ଯ୍ୟ ନକରିବା ପାଇଁ ସ୍ଥିର କରାଯାଇଛି ଓ ୬ ଜଣିଆ ମାତୃ କମିଟି ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ କରାଯିବ। ଯେତେଦିନ ପର୍ଯ୍ୟନ୍ତ ପାଚିକା ବିଚାର ନହୋଇଛି ସେପର୍ଯ୍ୟନ୍ତ ଏହା ବଳବତର ରହିବ। ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ତହସିଲଦାର ଜଗଦିଶ କର୍ତାମି, ଆଇଆଇସି ବୁଲୁ ମୁଣ୍ଡା, ବିଡିଓ ବାସନ୍ତୀ ସେଠୀ, ସିଡ଼ିପିଓ ପୂର୍ଣ୍ଣିମା ବୈଠାରୁ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ସତ୍ୟନାରାୟଣ ଭୋଇ, ଜିଲ୍ଲା କନ୍ଧ ସଂପ୍ରଦାୟର ସଭାପତି ସୁରେଶ ଭୋଇ, ଖୁଶିରାମ ଯାନୀ, ଦୋଳଗୋବିନ୍ଦ ପ୍ରଧାନୀ, ସକିର୍ତନ ଶିକା, ରମେଶ ଭୋଇ, ଲକ୍ଷ୍ମୀକାନ୍ତ ଧରୁଆ, ଘୁଷୁରାମୁଣ୍ଡା ଗ୍ରାମବାସୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ