
ଝାରସୁଗୁଡ଼ା, 01 ଜୁଲାଇ (ହି.ସ.) : ଜିଲ୍ଲା ପ୍ରଶାସନର ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ବିଭିନ୍ନ କ୍ରୀଡ଼ା ବିଭାଗରେ ଜାତୀୟ ଓ ରାଜ୍ୟ ସ୍ତରରେ ପଦକ ହାସଲ କରିଥିବା କ୍ରୀଡ଼ାବିତ ମାନଙ୍କୁ ଉତ୍ତରୀୟ ଏବଂ ଚାରା ଦେଇ ସମ୍ବର୍ଦ୍ଧିତ କରିଥିଲେ ଜ଼ିଲ୍ଲାପାଳ କୁଣlଲ ମୋତିରାମ ଚୱlଣ l
ଏହି ଅବସରରେ ଜିଲ୍ଲାପାଳ କ୍ରୀଡ଼ାବିତମାନଙ୍କ ସହ ଆଲୋଚନା କରି ସେମାନଙ୍କର ଅଭ୍ୟାସ, ପ୍ରତିଯୋଗିତାର ଅନୁଭୂତି, ସଫଳତା ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। କ୍ରୀଡ଼ାବିତମାନଙ୍କ ପ୍ରତିଭାକୁ ଆହୁରି ବିକଶିତ କରିବା ସହ ସେମାନଙ୍କୁ ଆବଶ୍ୟକ ସୁବିଧା ଓ ସହଯୋଗ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ସଦା ସର୍ବଦା ପ୍ରତିଶ୍ରୁତି ବଦ୍ଧ ବୋଲି ଜ଼ିଲ୍ଲାପାଳ ଶ୍ରୀ ଚୱlଣ ପ୍ରକାଶ କରିଥିଲେ। ଏଥିସହ କ୍ରୀଡ଼ା କେବଳ ଶାରୀରିକ ଦକ୍ଷତାର ବିକାଶ କରେ ନାହିଁ, ବରଂ ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ନେତୃତ୍ୱ ଗୁଣର ବିକାଶରେ ମଧ୍ୟ ସହାୟକ ହୋଇଥାଏ ବୋଲି ଜ଼ିଲ୍ଲାପାଳ ମତବ୍ୟକ୍ତ କରିଥିଲେ l ଜିଲ୍ଲାର କ୍ରୀଡ଼ାବିତମାନେ ରାଜ୍ୟ ଓ ଜାତୀୟ ସ୍ତରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଝାରସୁଗୁଡ଼ାର ଗୌରବ ବୃଦ୍ଧି କରୁଥିବାରୁ ସେ ସେମାନଙ୍କୁ ପ୍ରଶଂସା କରିଥିଲେ। ଭବିଷ୍ୟତରେ ଆହୁରି ନିଷ୍ଠା ଓ ପରିଶ୍ରମ ସହ ଅଭ୍ୟାସ ଜାରି ରଖି ଉଚ୍ଚତର ସଫଳତା ହାସଲ କରିବାକୁ ସେ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ।କ୍ରୀଡ଼ାବିତମାନେ ମଧ୍ୟ ସେମାନଙ୍କର ଅଭ୍ୟାସ ପ୍ରକ୍ରିୟା, ଆବଶ୍ୟକତା ଏବଂ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ସମ୍ପର୍କରେ ନିଜ ମତାମତ ରଖିଥିଲେ। ଜିଲ୍ଲାପାଳ ଶ୍ରୀ ଚୱlଣ ସେମାନଙ୍କ ପ୍ରସ୍ତାବକୁ ଗୁରୁତ୍ୱର ସହ ବିଚାର କରାଯିବ ବୋଲି ଆଶ୍ୱାସନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଥଲେଟିକ୍ସ ଆସୋସିଏସନ (DAA)-ର ସଭ୍ୟ, ସଭ୍ୟା , କ୍ରୀଡ଼ା ପ୍ରଶିକ୍ଷକ, ବିଭିନ୍ନ କ୍ରୀଡ଼ା ବିଭାଗର ପଦକ ବିଜେତା କ୍ରୀଡ଼ାବିତ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ