
ଝାରସୁଗୁଡ଼ା, 01 ଜୁଲାଇ (ହି.ସ.) : ଝାରସୁଗୁଡ଼ା ଜିଲ୍ଲାପାଳ କୁଣଲ ମୋତିରାମ ଚୱlଣ ଆଜି ଝାରସୁଗୁଡ଼ା ପୌରାଞ୍ଚଳର ବିଭିନ୍ନ ସ୍ଥାନ ପରିଦର୍ଶନ କରି ବିକାଶମୂଳକ କାର୍ଯ୍ୟ ଓ ଭିତ୍ତିଭୂମିର ଉନ୍ନତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ପରିଦର୍ଶନରେ ଝାରସୁଗୁଡ଼ା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେ, ପୌରପରିଷଦ ଯନ୍ତ୍ରୀ ସୀମାଞ୍ଚଳ ଦାସ ଓ ସହକାରୀ ଯନ୍ତ୍ରୀ ସୁଶାନ୍ତ ପଟେଲ ଉପସ୍ଥିତ ଥିଲେ।
ପ୍ରଥମେ ଜିଲ୍ଲାପାଳ ଟାଉନ ହଲ୍ ପରିଦର୍ଶନ କରି ଏହାର ସମ୍ପୂର୍ଣ୍ଣ ନବୀକରଣ କରିବା ସହିତ ପାର୍ଶ୍ୱରେ ଥିବା ପୁରୁଣା କୋଠାକୁ ଭଙ୍ଗାଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ପରିସରରେ ରହିଥିବା ପୁରୁଣା ଯାନବାହନଗୁଡ଼ିକର ତାଲିକା ପ୍ରସ୍ତୁତ କରି ମୋଟର ଯାନ ନିରୀକ୍ଷକ ଙ୍କ ସହଯୋଗରେ ଅନୁପଯୋଗୀ ଯାନବାହନଗୁଡ଼ିକୁ ଶୀଘ୍ର ସ୍କ୍ରାପ୍ କରିବାକୁ କହିଥିଲେ।
ତାପରେ ପୌରପାଳିକାର ଅଡିଟୋରିୟମ୍-କମ୍-ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପରିଦର୍ଶନ କରିଥିଲେ। ବର୍ତ୍ତମାନର କୋଠାର ନବୀକରଣ ଓ ରଙ୍ଗ କାମ ପୌରପାଳିକା ଦ୍ୱାରା କରାଯିବା ସହିତ ବ୍ୟାଡମିଣ୍ଟନ କୋର୍ଟ ଓ ଅନ୍ୟାନ୍ୟ କ୍ରୀଡ଼ା ସାମଗ୍ରୀ ସ୍ଥାପନ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକର ସହଯୋଗ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ପରିଦର୍ଶନ ସମୟରେ ପୌରପାଳିକା ପରିସରରେ ଦୀର୍ଘଦିନ ଧରି ପଡ଼ିରହିଥିବା ସଫେଇ ଯାନ, ଫଗିଂ ମେସିନ୍ ଓ ଅନ୍ୟାନ୍ୟ ଅଚଳ ଯନ୍ତ୍ରପାତିର ସ୍ଥିତି ମଧ୍ୟ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ଯେଉଁ ଯାନବାହନ ଓ ଯନ୍ତ୍ରପାତିକୁ ସ୍ୱଳ୍ପ ବ୍ୟୟରେ ମରାମତି କରି ପୁନଃ ବ୍ୟବହାରଯୋଗ୍ୟ କରାଯାଇପାରିବ, ସେଗୁଡ଼ିକର ତୁରନ୍ତ ମରାମତି କରି ବ୍ୟବହାରରେ ଆଣିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ପୌରାଞ୍ଚଳର ଜନସାଧାରଣଙ୍କୁ ଉନ୍ନତ ନାଗରିକ ସେବା ଯୋଗାଇବା ପାଇଁ ପୌରପାଳିକାର ସମ୍ପତ୍ତି ଓ ଭିତ୍ତିଭୂମିର ସଠିକ୍ ରକ୍ଷଣାବେକ୍ଷଣ, ଆଧୁନିକୀକରଣ ଏବଂ ଉପଲବ୍ଧ ସମ୍ପଦର ସର୍ବୋତ୍ତମ ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ପୌରାଞ୍ଚଳର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ଜିଲ୍ଲାପାଳ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ