
ବଲାଙ୍ଗୀର, ୦୧ ଜୁଲାଇ(ହି.ସ.) – ବଲାଙ୍ଗୀର ଜିଲ୍ଲାରେ ଶିଳ୍ପ ସମୃଦ୍ଧି ଓ ସ୍ଥାନୀୟ ମହିଳା ତଥା ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କୋଶଳ କଳା ମଣ୍ଡପ ପଡ଼ିଆ ଠାରେ ୨୭ ଜୁନ୍ ଠାରୁ ୧ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିଥିବା ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ-୨୦୨୬ ଆଜି ଆନୁଷ୍ଠାନିକ ଭାବେ ଉଦ୍ଯାପିତ ହୋଇଯାଇଛି। ଜିଲ୍ଲା ଶିଳ୍ପ କେନ୍ଦ୍ର ବଲାଙ୍ଗୀର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଯାପନ ଉତ୍ସବରେ ବଲାଙ୍ଗୀର ଜିଲ୍ଲାପାଳ ଗୌରୱ ଶିୱାଜୀ ଇଶାଲୱର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର, ବଲାଙ୍ଗୀର ନୀରଜ ରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମୁଖ୍ୟ ପରିଚାଳକ ପ୍ରଶାନ୍ତ କୁମାର ବେହେରା, ଜିଲ୍ଲା ସହକାରୀ ନିୟୋଜନ ତଥା ଦକ୍ଷତା ବିକାଶ ଅଧିକାରୀ ଦୀପକ କୁମାର ସାମଲ, ଓ.ଏ.ଏସ୍.ଏମ୍.ଇ. ସଭାପତି ପ୍ରକାଶ ଚନ୍ଦ୍ର ନେପାକ, ଉପ ସଭାପତି(ପଶ୍ଚିମାଂଚଳ) ସିଦ୍ଧେଶ୍ୱର ମିଶ୍ର ମଂଚାସୀନ ଥିଲେ। ଉଦଯାପନୀ କାର୍ଯ୍ୟକ୍ରମ ସହିତ ବୈଷୟିକ ଶିକ୍ଷାନୁଷ୍ଠାନରେ ଶିଳ୍ପାୟନ ଆଧାରିତ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ତଥା ଜିଲ୍ଲାର ସଫଳ ଉଦ୍ୟୋଗୀମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ବଲାଙ୍ଗୀର ଜିଲ୍ଲାରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ କରିବା, ନୂତନ ଓ ଆଶାୟୀ ଉଦ୍ୟୋଗୀମାନଙ୍କୁ ଏକତ୍ରିତ କରି ପ୍ରୋତ୍ସାହିତ କରିବା। ବିଶେଷତଃ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମାଂଚଳର କାରିଗର, ଉଦ୍ୟମୀମାନଙ୍କୁ ବ୍ୟବସାୟିକ ସୁଯୋଗ ଯୋଗାଇବାରେ ଏହି ମେଳା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି।
କୋଶଳ କଳା ମଣ୍ଡପ ପଡ଼ିଆରେ ସ୍ଥାପିତ ଷ୍ଟଲ୍ଗୁଡ଼ିକରେ ସ୍ଥାନୀୟ ହସ୍ତତନ୍ତ, ହସ୍ତଶିଳ୍ପ, କୃଷିଜାତ ସାମଗ୍ରୀ, ଖାଦ୍ୟ ପ୍ରକ୍ରିୟାକରଣ ଉତ୍ପାଦ ଓ ଅନ୍ୟାନ୍ୟ ଉତ୍ପାଦ ପ୍ରଦର୍ଶନୀ ସହ ବିକ୍ରୟ ବ୍ୟବସ୍ଥା ରହିଥିଲା। ୫ ଦିନ ଧରି ବିଭିନ୍ନ ବୈଷୟିକ ଅଧିବେଶନ ଆୟୋଜିତ ହୋଇଥିଲା। ଯେଉଁଥିରେ ଶିଳ୍ପ ବିଶେଷଜ୍ଞମାନେ ବ୍ୟାଙ୍କ ଋଣ, ଶିଳ୍ପାଂଚଳରେ ଜମି, ନୂତନ ପ୍ରଯୁକ୍ତି, ବଜାର ସଂଯୋଗ ଓ ବ୍ରାଣ୍ଡିଂ ବିଷୟରେ ଉଦ୍ୟୋଗୀଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ରର ଅଧିକାରୀମାନେ ସରକାରଙ୍କ ବିଭିନ୍ନ ଋଣ ଯୋଜନା, ସବ୍ସିଡି ଏବଂ ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ଉଦ୍ଯାପନୀ ଉତ୍ସବରେ ଯୋଗଦେଇଥିବା ଅତିଥିଗଣ ପ୍ରକାଶ କରିଛନ୍ତି ଯେ, ବଲାଙ୍ଗୀର ଭଳି ଏକ ଆକାଂକ୍ଷୀ ଜିଲ୍ଲାରେ ଏଭଳି ଆୟୋଜନ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସ୍ଥାନୀୟ କାରିଗରଙ୍କ ଉତ୍ପାଦକୁ ବିଶ୍ୱ ବଜାରରେ ପହଂଚାଇବା ପାଇଁ ଏହା ଏକ ପ୍ରଶଂସନୀୟ ପ୍ରୟାସ। ସହକାରୀ ଶିଳ୍ପ ଅଧିକାରୀ ଖିରାବତୀ ଡୁଡୁଙ୍ଗ ଆଜିର କାର୍ଯ୍ୟକ୍ରମର ସଂଚାଳନା କରିଥିଲେ ଓ ଜିଲ୍ଲା ଶିଳ୍ପକେନ୍ଦ୍ରର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ