
ମାଲକାନଗିରି , ୧ ଜୁଲାଇ (ହି.ସ.) ୧୦ଦଫା ଦାବି ନେଇ ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ଗୁରୁତର ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଓମସା ଆକ୍ସନ କମିଟିର ଡାକରା ରେ , ଜୁଲାଇ ୧ ତାରିଖଠାରୁ ସମସ୍ତ ସରକାରୀ ଚିକିତ୍ସାଳୟର ଡାକ୍ତରମାନେ ଅର୍ନିଦ୍ଦିଷ୍ଟକାଳୀନ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି।ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ଆନ୍ଦୋଳନ ସମୟରେ ସାଧାରଣ ଚିକିତ୍ସା ସେବା ସହିତ ଜରୁରୀକାଳୀନ ସେବାକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ଫଳରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉଦ୍ବେଗ ଓ ଆତଙ୍କ ସୃଷ୍ଟି ହୋଇଛି। ଓମସା ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଡାକ୍ତରମାନଙ୍କର ଦୀର୍ଘଦିନର ନ୍ୟାୟସଙ୍ଗତ ଓ ବୈଧ ଦାବି ପ୍ରତି ସରକାର ଏବଂ ପ୍ରଶାସନ କ୍ରମାଗତ ଭାବେ ଅବହେଳା କରିଆସୁଛନ୍ତି। ବାରମ୍ବାର ଦାବି ଜଣାଇବା ସତ୍ତ୍ୱେ କୌଣସି ସକାରାତ୍ମକ ପଦକ୍ଷେପ ନିଆଯାଇ ନଥିବାରୁ ବାଧ୍ୟ ହୋଇ ସଂଘ ଏହି ଚରମ ନିଷ୍ପତ୍ତି ନେଇଥିବା କହିଛି।
ସଂଘର କହିବା ଅନୁସାରେ, ଡାକ୍ତରମାନଙ୍କ ପାଇଁ ଉତ୍ତମ କାର୍ଯ୍ୟ ପରିବେଶ, ସମ୍ମାନଜନକ କାର୍ଯ୍ୟ ପରିସ୍ଥିତି ଏବଂ ରୋଗୀଙ୍କୁ ସୁରକ୍ଷିତ ଓ ଗୁଣାତ୍ମକ ସୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ଏହି ଆନ୍ଦୋଳନ ଜାରି ରହିବ।
ଆନ୍ଦୋଳନ ଯୋଗୁଁ ରାଜ୍ୟର ସମସ୍ତ ସରକାରୀ ଚିକିତ୍ସା ପ୍ରତିଷ୍ଠାନରେ ଓପିଡି (ବାହ୍ୟ ରୋଗୀ ବିଭାଗ), ଆଇପିଡି (ଆନ୍ତଃରୋଗୀ ବିଭାଗ), ର୍ନିଦ୍ଧାରିତ ଅସ୍ତ୍ରୋପଚାର , ବିଭିନ୍ନ ନିଦାନମୂଳକ ସେବା (ଯଥା ରକ୍ତ ପରୀକ୍ଷା, ଏକ୍ସ-ରେ, ସ୍କାନିଂ ଆଦି) ଏବଂ ଜରୁରୀକାଳୀନ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଓମସା ସ୍ପଷ୍ଟ କରିଛି।
ଆନ୍ଦୋଳନ ଯୋଗୁ ଜନସାଧାରଣ ଓ ରୋଗୀମାନଙ୍କୁ ହେଉଥିବା ଅସୁବିଧା ପାଇଁ ଓମସା ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ସେହିପରି ନିଜର ନ୍ୟାୟସଙ୍ଗତ ଦାବି ଏବଂ ସ୍ବାସ୍ଥ୍ୟସେବାର ମାନ ରକ୍ଷା ପାଇଁ ଚାଲିଥିବା ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ସଂଘ ନିବେଦନ କରିଛି।
ମାଲକାନଗିରି ଜିଲାର ଦୂରଦୂରାନ୍ତ ଓ ଗ୍ରାମାଞ୍ଚଳରୁ ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ଶହ ଶହ ଗରିବ ରୋଗୀ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ବିଶେଷକରି ଜରୁରୀକାଳୀନ ସେବା ବନ୍ଦ ରହିଥିବାରୁ ପରିସ୍ଥିତି ଅଧିକ ସଙ୍କଟଜନକ ହେବାର ଆଶଙ୍କା ପ୍ରକାଶ ପାଇଛି। ଏଭଳି ପରିସ୍ଥିତିରେ ସରକାର ଓମସା ସହ ଆଲୋଚନା କରି କେବେ ଓ କିପରି ସମସ୍ୟାର ସମାଧାନ କରୁଛନ୍ତି, ସେଥିପ୍ରତି ରୋଗୀ, ସାଧାରଣ ଜନତା ଙ୍କ ନଜର ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ