କେନ୍ଦୁଝରରେ ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ ପ୍ରସ୍ତୁତି ନେଇ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ
କେନ୍ଦୁଝର, ୦୧ ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଦରବାର୍ ହଲ୍ଠାରେ ''ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍'' (ଡି ସିଏଚବି) ପ୍ରସ୍ତୁତି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମନ୍ଦରଧର ମହାଳିକଙ୍
Janagana handbook


କେନ୍ଦୁଝର, ୦୧ ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଦରବାର୍ ହଲ୍ଠାରେ 'ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍' (ଡି ସିଏଚବି) ପ୍ରସ୍ତୁତି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମନ୍ଦରଧର ମହାଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ତହସିଲର ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ଅମୀନମାନେ ଅଂଶଗ୍ରହଣ କରିଥିଲେ। କର୍ମଶାଳାରେ ଜିଲ୍ଲା ଜନଗଣନା ଅଧିକାରୀ ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାଳିକ ସମସ୍ତଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଡିସିଏଚବି ପ୍ରସ୍ତୁତି କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ଜନଗଣନା ତଥ୍ୟର ସଠିକତା, ବିଭାଗୀୟ ସମନ୍ୱୟ ଏବଂ ସମୟୋଚିତ ତଥ୍ୟ ଅଦ୍ୟତନ ଉପରେ ସର୍ବାଧିକ ଗୁରୁତ୍ୱାରୋପ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, 'ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍' ହେଉଛି ଜିଲ୍ଲାର ଏକ ପ୍ରାମାଣିକ ସୂଚନା ଭଣ୍ଡାର। ଏହି ପୁସ୍ତିକାରେ ଗୋଟିଏ ଜିଲ୍ଲାର ପ୍ରତି ଗ୍ରାମ ଓ ସହରାଂଚଳର ଜନସଂଖ୍ୟା, ସାକ୍ଷରତା ହାର, ଭିତିଭୂମି, ସ୍ୱାସ୍ଥ୍ୟ ଓ ଶିକ୍ଷା ସୁବିଧା ସମ୍ବନ୍ଧୀୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସ୍ଥାନ ପାଇଥାଏ, ଯାହା ସରକାରୀ ଯୋଜନା ପ୍ରସ୍ତୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ।

ପ୍ରଶାସନିକ ଦୃଷ୍ଟିକୋଣରୁ ଡିସିଏଚବି ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଜିଲ୍ଲାସ୍ତରୀୟ ଯୋଜନା ପ୍ରଣୟନ, ପ୍ରଶାସନିକ କାର୍ଯ୍ୟକଳାପ ଏବଂ ବିଭିନ୍ନ ବିକାଶମୂଳକ ପଦକ୍ଷେପ ପାଇଁ ଏକ ମୁଖ୍ୟ ସନ୍ଦର୍ଭ ପୁସ୍ତିକା ଭାବେ କାର୍ଯ୍ୟ କରେ। ଏହାର ସଠିକ ପ୍ରସ୍ତୁତି ଦ୍ୱାରା ଗ୍ରାମାଂଚଳ ଓ ସହରାଂଚଳର ଜନସାଂଖ୍ୟିକ ଏବଂ ଭିତିଭୂମି ସମ୍ବନ୍ଧୀୟ ତଥ୍ୟ ସୁସ୍ପଷ୍ଟ ଭାବେ ଉପଲବ୍ଧ ହୋଇପାରିବ, ଯାହା ଭବିଷ୍ୟତର ବିକାଶ କାର୍ଯ୍ୟରେ ସହାୟକ ହେବ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ତଥ୍ୟ ସଂଗ୍ରହ, ସଠିକତା ଯାଂଚ ଏବଂ ରିପୋର୍ଟ ପ୍ରସ୍ତୁତିର ସୂକ୍ଷ୍ମ କୌଶଳ ସମ୍ପର୍କରେ କର୍ମଚାରୀମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ନିର୍ଦ୍ଧାରିତ ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିବା ସହ ଜନଗଣନା ହ୍ୟାଣ୍ଡବୁକ୍ ପ୍ରସ୍ତୁତି କାର୍ଯ୍ୟକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସଫଳତାର ସହ ଶେଷ କରିବା ପାଇଁ ଉପସ୍ଥିତ ସମସ୍ତ କର୍ମଚାରୀ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

------------------

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande