

ସମ୍ବଲପୁର, ୦୧, ଜୁଲାଇ (ହି.ସ.) - କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଗାମୀ ଜୁଲାଇ ୪ ତାରିଖରେ ସମ୍ବଲପୁର ଗସ୍ତକୁ ଦୃଷ୍ଟିରେ ରଖି ଆଜି ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁଙ୍କ ମିଳିତ ଅଧ୍ୟକ୍ଷତାରେ ଏସଏସଏ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ସ୍ତରର ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ସୂଚନା ଅନୁଯାୟୀ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା ଏହି ଗସ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧିଷ୍ଠାତ୍ରୀ ଦେବୀ ମାଁ' ସମଲେଶ୍ୱରୀଙ୍କ ଦର୍ଶନ କରିବେ ଏବଂ ଏହାପରେ ରେମେଡ ପଡ଼ିଆଠାରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ କାଳରେ ସେ ଜିଲ୍ଲାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ତଥା ଭିତିପ୍ରସ୍ତର ସ୍ଥାପନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି ଗସ୍ତକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଟ୍ରାଫିକ ଏବଂ ପାର୍କିଂର ସୁବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ହେବାକୁ ଥିବା ସର୍ବସାଧାରଣ ସଭା ସ୍ଥଳରେ ଲୋକଙ୍କ ବସିବା ବ୍ୟବସ୍ଥା, ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ, ଏବଂ ପରିମଳ (ସାନିଟେସନ୍) ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରାଯାଇଛି। ହେଲିପ୍ୟାଡ୍, ଗ୍ରୀନ୍ ରୁମ୍ ଏବଂ ସଭାସ୍ଥଳରେ ଆମ୍ବୁଲାନ୍ସ ସହିତ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ ଏବଂ ଅଗ୍ନିଶମ ବାହିନୀ ମୁତୟନ ରହିବେ। ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସମେତ ଅନ୍ୟାନ୍ୟ ସମସ୍ତ ଲଜିଷ୍ଟିକ୍ସ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି। ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିଜ ନିଜ ଦାୟିତ୍ୱ ସଠିକ୍ ଭାବରେ ତୁଲାଇବା ପାଇଁ ଜିଲ୍ଲାପାଳ ଏବଂ ଏସପି ଉଭୟ ମିଳିତ ଭାବେ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ