


ବଲାଙ୍ଗୀର, ୦୧ ଜୁଲାଇ(ହି.ସ.) – ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗୀରର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ହିରନମୟ ବିଶୋଇଙ୍କ ଅନୁମତି କ୍ରମେ ତା.୩୦.୦୬.୨୦୨୬ରେ ସୁଦାମ ଚରଣ ମହାବିଦ୍ୟାଳୟ, ଚନ୍ଦନଭାଟି, ବଲାଙ୍ଗୀର ଠାରେ ପୀଡ଼ିତ କ୍ଷତିପୂରଣ ଯୋଜନା ଏବଂ ଆଶା ଯୋଜନା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଆଇନ ସଚେତନତା ଶିବିରରେ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗୀର ପବିତ୍ରାନନ୍ଦ ପ୍ରଧାନ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ୧୮ବର୍ଷରୁ କମ୍ ବୟସର ସମସ୍ତ ଶିଶୁଙ୍କୁ ଯୌନ ନିର୍ଯାତନା ଏବଂ ଅଶ୍ଳୀଳ ଶୋଷଣରୁ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଇନ ଯଥା କିଶୋର ନ୍ୟାୟିକ ନିୟମାବଳୀ ଉପରେ ଆଲୋକପାତ କରିଥିଲେ। ତତ୍ସହିତ ଶିଶୁର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ନାଗରିକମାନଙ୍କର କର୍ତବ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସଭ୍ୟ ଅରୁଣ ଖୁଆସ ଯୋଗଦେଇ ଶିଶୁଙ୍କ ଉଦ୍ଦେଶ୍ୟ ସରକାରଙ୍କର ବିଭିନ୍ନ ବିଭାଗର ଜନ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହି ଶିବିରକୁ ପରିଚାଳନା କରୁଥିଲେ ଉକ୍ତ କଲେଜର ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା ଏବଂ ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଶ୍ରୀମତି ଫୁଲମଣି ବୁଦ। ଏଥିରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦାନ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ