ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ସମୟ ସାକ୍ଷୀ ଲୋକାର୍ପିତ
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - ଓ ୟୁଏଟିର କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ବୁଧବାର ବରିଷ୍ଠ ନେତା ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’ ଏକ ଅଭିନବ ରୂପରେ ଲୋକାର୍ପିତ ହୋଇଯାଇଛି । ଜୀବନର କିଛି ଅନୁଭୂତି ଓ ଘଟଣା ଚରିତ୍ରକୁ ନେଇ ସେ ଏହି ଆତ୍ମଜୀବନୀ ରଚନା କରିଛନ୍ତି। ଆତ୍ମଜୀବ
np


ଭୁବନେଶ୍ୱର, ୦୧ ଜୁଲାଇ (ହି.ସ) - ଓ ୟୁଏଟିର କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ବୁଧବାର ବରିଷ୍ଠ ନେତା ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’ ଏକ ଅଭିନବ ରୂପରେ ଲୋକାର୍ପିତ ହୋଇଯାଇଛି । ଜୀବନର କିଛି ଅନୁଭୂତି ଓ ଘଟଣା ଚରିତ୍ରକୁ ନେଇ ସେ ଏହି ଆତ୍ମଜୀବନୀ ରଚନା କରିଛନ୍ତି। ଆତ୍ମଜୀବନଟି ଓଡିଶା ରାଜନୀତିରେ ଅର୍ଦ୍ଧଶତାବ୍ଦୀର ଗୁମର କଥାକୁ ଉନ୍ମୋଚିତ କରିବ।

ଏହି ପୁସ୍ତକକୁ ଜଣେ ସାଧାରଣ ଓଡିଆର କଥା ଭାବେ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିବା ସହ ଓଡିଶାର ବିଭିନ୍ନ କ୍ଷେତ୍ରରୁ ୯ ଜଣ ସାଧାରଣ ଓଡିଆ ଏହାକୁ ଲୋକାର୍ପିତ କରିଥିଲେ । ସେହି ଅତିଥିମାନଙ୍କ ମଧ୍ୟରେ ଥିଲେ ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି, କେନାଲ ମଣିଷ ରୂପେ ପରିଚିତ କେନ୍ଦୁଝରର ଦୈତାରୀ ନାୟକ, ନିଜ ସ୍ତ୍ରୀଙ୍କ ଶବକୁ କାନ୍ଧରେ ବୋହି ଡାକ୍ତରଖାନାରୁ ଫେରିଥିବା କଳାହାଣ୍ଡିର ଦାନ ମାଝୀ, ଆନୁଷ୍ଠାନିକ ଶିକ୍ଷାରୁ ବଂଚିତ ହୋଇ ମଧ୍ୟ ଗଳ୍ପ କବିତା ରଚନା କରିଥିବା ତଥା ତୁମୁଡିବନ୍ଧର ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ବାସନ୍ତୀ ମାଝୀ, ନିଜର ଦୃଷ୍ଟିଶକ୍ତି ନଥାଇ ମଧ୍ୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୁନରେ ଶିକ୍ଷାଦାନ କରୁଥିବା ଘସିପୁରାର ପ୍ରଫେସର ଦୁର୍ଯ୍ୟୋଧନ ନାହାକ, ନିଜର ବାଲ୍ୟକାଳରେ ଆର୍ôଥକ ଅସ୍ୱଚ୍ଛଳତାରେ ହାରି ନ ଯାଇ ସମ୍ପ୍ରତି ଭାରତର ପ୍ରସିଦ୍ଧ କେଶ ପ୍ରତିରୋପଣକାରୀ ଡାକ୍ତର ଭାବେ ପରିଚିତ କେନ୍ଦୁଝରର ଡା. ପ୍ରଦୀପ ସେଠୀ, କରୋନା ସମୟରେ ପୁରୀରେ ରଥଯାତ୍ରା କରାଇବାକୁ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିବା ନୟାଗଡର ମୁସଲମାନ ତରୁଣ ଅଫତାବ୍ ହୋସେନ୍, ନିଜର ସ୍ୱଳ୍ପ ଆୟରୁ ସଞ୍ଚୟ କରି ଗ୍ରାମବାସୀଙ୍କ ପାଇଁ ସାତଟି ପାଣି ଟାଙ୍କି ବସାଇଥିବା ମନ୍ମଥ ମହାରଣା ପ୍ରମୁଖ।

ପୁସ୍ତକର ସମୀକ୍ଷା କରିଥିଲେ ସାହିତ୍ୟିକ ଶ୍ରୀ ଦାଶ ବେନହୁର।ସଭାରେ ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିଜର ଲେଖନୀୟ ଅଭିବ୍ୟକ୍ତିରେ ଉଲ୍ଲେଖ କରିଥିଲେ ଯେ, ତାଙ୍କର ଏହି ସାଧାରଣ ଜୀବନ କଥାରୁ ଯଦି ଜଣେ ବି ଯୁବକ ପ୍ରେରଣା ପାଇବ ତାଙ୍କ ରଚନା ସାର୍ଥକ ହେବ । ଶ୍ରୀ ପଟ୍ଟନାୟକଙ୍କ ସହ ବରିଷ୍ଠ ସାମ୍ବାଦିକ ଶ୍ରୀ ରାଜେଶ ମହାପାତ୍ର ଏକ ମାର୍ମିକ ଆଲୋଚନା କରିଥିଲେ। ଆମ ଓଡିଶା ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ଲୋକାର୍ପଣ ସଭାରେ ସଭାପତିତ୍ୱ କରିଥିଲେ ଆମ ଓଡିଶାର ଅଧ୍ୟକ୍ଷ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ।ରାଜ୍ୟର ବହୁ ଲେଖକ, କଳାକାର, ବୁଦ୍ଧିଜୀବୀ, ରାଜନେତା ଏହି ସଭାରେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande