
ବଲାଙ୍ଗୀର, ୦୧ ଜୁଲାଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଆଜି ନିଶାସେବନ ଯୁବ ସମାଜକୁ କବଳିତ କରିଛି। ନିଶାଖୋରମାନେ ସମାଜରେ ନାନାଦି ବିଶୃଙ୍ଖଳା ସୃଷ୍ଟି କରିବା ସହ ଏଥିରେ ଅନେକ ଧନଜୀବନ ନଷ୍ଟ ହେଉଛି। ଏହି ପରିପ୍ରେକ୍ଷୀରେ ମୁରିବାହାଲକୁ ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜ ଭାବେ ଗଢ଼ି ତୋଳିବାର ଲକ୍ଷ୍ୟ ନେଇ ମୁରିବାହାଲ ପୋଲିସର ଉଦ୍ୟମରେ ମୁରିବାହାଲର ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ବିଭିନ୍ନ ସାମାଜିକ ସଂଗଠନମାନଙ୍କୁ ନେଇ ନିଶା ମୁକ୍ତ ଓଡ଼ିଶା ଅଭିଯାନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମୁରିବାହାଲ ଥାନା ପରିସରରେ ଅନୁଷ୍ଠିତ ଏହି ସଚେତନତା ବୈଠକରେ ନିଶାସେବନ ଯୋଗୁଁ ବିପଥଗାମୀ ହେଉଥିବା ସମାଜକୁ କିପରି ଏହାଠାରୁ ଦୂରେଇ ରଖାଯାଇ ପାରିବ, ସେ ବିଷୟରେ ଆଲୋଚନା ହୋଇଥିଲା। ନିଶା ସେବନକୁ ବନ୍ଦ କରିବା ସହ ମୁରିବାହାଲକୁ ନିଶାମୁକ୍ତ ବ୍ଳକ ଭାବରେ ଗଢ଼ି ତୋଳିବା ନେଇ ସମସ୍ତେ ଏକ ଶପଥ ପାଠ କରିଥିଲେ। ସମାଜରେ ଘଟୁଥିବା ଅଧିକାଂଶ ଅସାମାଜିକ କାର୍ଯ୍ୟକଳାପ ପଛରେ ଏହି ନିଶା କାରବାରକୁ ହିଁ ଦାୟୀ କରାଯାଇ ପାରିବ। ମୁରିବାହାଲ ଥାନା ଇନିସ୍ପେକ୍ଟର ବୁଲୁ ମୁଣ୍ଡା, ଏସ୍ଆଇ ଶୁଶିଲ ମହାପାତ୍ର, ଏସ୍ଆଇ ପ୍ରମୋଦ ପଧାନ ଏବଂ ଏସ୍ଆଇ ପଙ୍କଜିନୀ ବାଗ ପ୍ରମୁଖ ସମାଜ ଉପରେ ନିଶା ସେବନର ନିଶା ନିବାରଣ ଉପରେ ସଚେତନ କରିବା ପାଇଁ ବୁଦ୍ଧିଜୀବୀ ଓ ସଚେତନ ନାଗରିକଙ୍କ ସହଯୋଗ ଲୋଡ଼ିଲା ମୁରିବାହାଲ ପୋଲିସ କୁପ୍ରଭାବ ସମ୍ପକରେ ବୁଝାଇବା ସହ ଏହାକୁ ରୋକିବା ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ବୈଠକରେ ମୁରିବାହାଲ ଗ୍ରାମ ପଂଚାୟତ ସରପଂଚ ବିଶ୍ୱବିହାରୀ ଯୋଶୀ, ଆଦିବାସୀ ନେତା ରାଜିବ କୁଅଁର,ବିଜେପି ନେତା ରାଜିବ କୁମାର ମହାନ୍ତି, ପ୍ରମୁଖ ଯୋଗଦେଇ ପୋଲିସର ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ପ୍ରଶଂସା କରିବା ସହ ମୁରିବାହାଲକୁ ଏକ ନିଶାମୁକ୍ତ ବ୍ଲକ ଭାବରେ ଗଢ଼ିବା ପାଇଁ ଅନୁରୋଧ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ