
ଝାରସୁଗୁଡ଼ା, 01 ଜୁଲାଇ (ହି.ସ.) ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଝାରସୁଗୁଡ଼ାର ଅର୍ଥନୀତି ବିଭାଗ ମୁଖ୍ୟ ପ୍ରଫେସର ତପନ କୁମାର ବାରିକ ଦୀର୍ଘ ୩୬ ବର୍ଷର ଗୌରବମୟ ଅଧ୍ୟାପନା ଜୀବନ ସମାପ୍ତ କରି ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ତାଙ୍କର ଶିକ୍ଷା, ସାହିତ୍ୟ ଓ ସମାଜ ପ୍ରତି ଅବଦାନକୁ ଉଚ୍ଚ ପ୍ରଶଂସା କରାଯାଇଥିଲା।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଗୀତାରାଣୀ ଦୀକ୍ଷିତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବରିଷ୍ଠ ପ୍ରାଧ୍ୟାପିକା ଡ. ସ୍ୱର୍ଣ୍ଣମୟୀ ପୁରୋହିତ, ପ୍ରାଧ୍ୟାପକ ବ୍ରଜେଶ କୁମାର ସାହୁ ଓ ପ୍ରାଧ୍ୟାପିକା ପୂର୍ଣ୍ଣିମା ମୟୀ ଦାଶ ମଞ୍ଚାସୀନ ଥିଲେ। ପଦାର୍ଥ ବିଜ୍ଞାନ ବିଭାଗର ଷ୍ଟୋରକିପର ଶ୍ରୀ ଜଗଦୀଶ ଚନ୍ଦ୍ର ପଟେଲଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ୧୯ ଖଣ୍ଡ ମୌଜା ଅନ୍ତର୍ଗତ କଣ୍ଢେଇକେଲା ଗ୍ରାମର ମୂଳ ବାସିନ୍ଦା ପ୍ରଫେସର ବାରିକ ମୁରଲୀପାଳି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ସମାପ୍ତ କରି ଲରମ୍ଭା କଲେଜ, ପଞ୍ଚାୟତ କଲେଜ ବରଗଡ଼, ଗଙ୍ଗାଧର ମେହେର କଲେଜ ଏବଂ ଲାଲ ଲଜପତ ରାୟ ଆଇନ ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟ, ଭୁକ୍ତାରୁ ଅଧ୍ୟାପନା ଜୀବନ ଆରମ୍ଭ କରି ବରଗଡ଼ ଟ୍ରଷ୍ଟ ଫଣ୍ଡ କଲେଜରେ ପ୍ରାୟ ୨୮ ବର୍ଷ ସେବା ପ୍ରଦାନ କରିଥିଲେ। ୨୦୧୮ ମସିହାରୁ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି। ଜଣେ ବିଶିଷ୍ଟ ଅର୍ଥଶାସ୍ତ୍ରୀ, ସ୍ତମ୍ଭକାର, ସମ୍ପାଦକ ଓ ସଂଗଠକ ଭାବେ ପରିଚିତ ପ୍ରଫେସର ବାରିକ ବରଗଡ଼ର ଗାନ୍ଧୀ ସ୍ମୃତି ପାଠାଗାରର ସମ୍ପାଦକ ଭାବେ ୨୫ ବର୍ଷ ଏବଂ ବରଗଡ଼ ପୁସ୍ତକମେଳାର ସମ୍ପାଦକ ଭାବେ ୧୮ ବର୍ଷ ଦାୟିତ୍ୱ ନିର୍ବାହ କରିଛନ୍ତି। ସେ ବେସରକାରୀ ଶିକ୍ଷକ ସଂଘର ରାଜ୍ୟ ଯୁଗ୍ମ ସମ୍ପାଦକ, ଝାରସୁଗୁଡ଼ା ଜିଲ୍ଲା ଉତ୍କଳ ସମ୍ମିଳନୀର ସଭାପତି, ଗାନ୍ଧୀ ବିଚାର ମଞ୍ଚର ଆବାହକ ଏବଂ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ପଶ୍ଚିମାଞ୍ଚଳ ସମ୍ପାଦକ ଭାବେ ମଧ୍ୟ ସକ୍ରିୟ ଅଛନ୍ତି। ଶିକ୍ଷା, ପରିବେଶ, ହୀରାକୁଦ ବୁଡ଼ି ଅଞ୍ଚଳର ସମସ୍ୟା ଓ ସାମାଜିକ ପ୍ରସଙ୍ଗରେ ତାଙ୍କର ସ୍ପଷ୍ଟ ମତାମତ ଏବଂ ବିଶ୍ଳେଷଣ ସର୍ବଦା ଚର୍ଚ୍ଚାରେ ରହିଆସିଛି।
ଏହି ଅବସରରେ ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର କୁମାର ପଣ୍ଡା, ଡ. ସରୋଜ କୁଅଁର, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନରସିଂହ ପାଣିଗ୍ରାହୀ, ଗୋବିନ୍ଦ ଚନ୍ଦ୍ର ସାହୁ , ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଗୋଲାପୀ ମୟୀ ଦାଶ ଅଖିଳ ସିଂହ, ରତ୍ନାକର ପ୍ରଧାନ, ପୂର୍ବତନ ନଗରପାଳ ତାପସ ରାୟ ଚୌଧୁରୀ, ଅସୀମ ପଟେଲ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ପୂର୍ବତନ ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁମାନେ କଲେଜରେ ଉପସ୍ଥିତ ରହି ତାଙ୍କୁ ଅଭିନନ୍ଦନ ଜଣାଇ ତାଙ୍କର ସୁସ୍ଥ, ସୁଖମୟ ଓ କର୍ମମୟ ଦ୍ୱିତୀୟ ଜୀବନ ପାଇଁ ଶୁଭକାମନା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ