ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଝାରସୁଗୁଡା ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର
Youth congress demand and submit memorandum
Youth congress


ଝାରସୁଗୁଡ଼ା, ୦୧ ଜୁଲାଇ (ହି.ସ.) - ବାରମ୍ବାର ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରି ଏନ୍ଏସ୍ୟୁଆଇ ଛାତ୍ର କଂଗ୍ରେସ ଏବଂ ଯୁବ କଂଗ୍ରେସ ପକ୍ଷରୁ ଝାରସୁଗୁଡା ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୈତିକ ଦାୟିତ୍ୱ ସ୍ୱୀକାର କରି ଇସ୍ତଫା ପ୍ରଦାନ କରିବାକୁ ଦାବି କରାଯାଇଛି।

ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡିତ ନିଟ୍ ପରୀକ୍ଷାରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଘଟଣା ଦେଶର ପରୀକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତା ଉପରେ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ଏପରି ଘଟଣା ପରିଶ୍ରମୀ ପରୀକ୍ଷାର୍ଥୀଙ୍କ ମାନସିକ ଚାପ ବଢ଼ାଇବା ସହିତ ସେମାନଙ୍କ ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟରେ ପକାଇ ଦେଉଛି।

ସଂଗଠନ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷା ପରିଚାଳନାରେ ବାରମ୍ବାର ଘଟୁଥିବା ତ୍ରୁଟି ଓ ସୁରକ୍ଷା ବ୍ୟବସ୍ଥାର ବିଫଳତା ପାଇଁ କେନ୍ଦ୍ର ସରକାର ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟର ନୈତିକ ଦାୟିତ୍ୱ ରହିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନୈତିକ ଦାୟିତ୍ୱ ସ୍ୱୀକାର କରି ପଦତ୍ୟାଗ କରିବା ଉଚିତ ବୋଲି ଦାବି କରାଯାଇଛି।

ଦାବିପତ୍ରରେ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାର ନିରପେକ୍ଷ ଓ ସମୟବଦ୍ଧ ତଦନ୍ତ, ଦୋଷୀ ବ୍ୟକ୍ତି ଓ ସଂସ୍ଥା ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ, ଭବିଷ୍ୟତରେ ଏପରି ଘଟଣାର ପୁନରାବୃତି ରୋକିବା ପାଇଁ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସୁରକ୍ଷିତ ଓ ଜବାବଦେହି କରିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ସୁନିଶ୍ଚିତ କରିବାକୁ ମହାମହିମ ରାଷ୍ଟ୍ରପତିଙ୍କୁ ଅନୁରୋଧ କରାଯାଇଛି।

ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ, ଦେଶର ଶିକ୍ଷା ବ୍ୟବସ୍ଥାର ମର୍ଯ୍ୟାଦା ଓ ନ୍ୟାୟ ସୁନିଶ୍ଚିତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ରାଷ୍ଟ୍ରପତିଙ୍କୁ ଦାବି ଜଣାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande