
ଭୁବନେଶ୍ୱର, 01 ଜୁଲାଇ (ହି.ସ.)- ନିଶାମୁକ୍ତ ଓଡ଼ିଶା
ଅଭିଯାନକୁ ଆହୁରି ଜୋରଦାର କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ପ୍ରିଟ୍ରାଏଲ ଡ୍ରଗ୍ସ
ଡିସ୍ପୋଜାଲ କାର୍ଯ୍ୟକ୍ରମ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୋଲିସ ଦ୍ୱାରା ଜବତ କରାଯାଇଥିବା ୮୦
ଟନରୁ ଅଧିକ ମାଦକ ଦ୍ରବ୍ୟକୁ ନଷ୍ଟ କରାଯିବ। ଏଥିରେ ବହୁ ପରିମାଣର ଗଞ୍ଜେଇ ସହ ବ୍ରାଉନସୁଗାର, କଫ ସିରଫ ଓ କୋକେନ ମଧ୍ୟ ରହିଛି।ଏହି ଅଭିଯାନର
ଶୁଭାରମ୍ଭ ଅବସରରେ ପୋଲିସ ଭବନରେ ଗଣ ନିଶା ବିରୋଧୀ ଶପଥ ସମାରୋହ ଅନୁଷ୍ଠିତ ହୋଇଛି। ଏହି
କାର୍ଯ୍ୟକ୍ରମ ମାଧ୍ୟମରେ ବିଚାରାଧୀନ ମାଦକ
ଦ୍ରବ୍ୟ ନଷ୍ଟ କରିବା ପ୍ରକ୍ରିୟାର ଔପଚାରିକ ଶୁଭାରମ୍ଭ କରାଯାଇଛି।
ଖୋର୍ଦ୍ଧା, ବାଲେଶ୍ୱର, ଅନୁଗୁଳ,
ଗଞ୍ଜାମ, ବଲାଙ୍ଗିର, କୋରାପୁଟ
ଓ ସୁନ୍ଦରଗଡ଼ ଜିଲ୍ଲାରେ ଜବତ ହୋଇଥିବା ଗଞ୍ଜେଇ ସମେତ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ନଷ୍ଟ କରିବା
ପାଇଁ ବ୍ୟବସ୍ଥା କରାଯାଇଛି। ନିଶା କାରବାର ବିରୋଧରେ ଜିରୋ ଟଲେରାନ୍ସ ନୀତି ଅନୁସରଣ କରି ରାଜ୍ୟ
ପୋଲିସ ଏହି ପଦକ୍ଷେପ ନେଇଥିବାବେଳେ, ମାଦକ କାରବାର ଉପରେ ଅଙ୍କୁଶ
ଲଗାଇବା ସହ ନିଶାମୁକ୍ତ ଓଡ଼ିଶା ଗଠନ ଏହାର ପ୍ରମୁଖ ଲକ୍ଷ୍ୟ ବୋଲି କୁହାଯାଇଛି। ପିଲାଙ୍କୁ ନିଶାରୁ
ଦୂର ରଖିବା ପାଇଁ ଫିଜିକାଲ ଏକ୍ଟିଭିଟିରେ ନିୟୋଜିତ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା