
ଝାରସୁଗୁଡ଼ା, 01 ଜୁଲାଇ (ହି.ସ.) ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ କୋଲାବିରା ବ୍ଲକ ଗସ୍ତ କରି ଚାଷୀଙ୍କ ସମସ୍ୟା ଶୁଣିବା ସହ ବିଭିନ୍ନ ଜନକଲ୍ୟାଣମୂଳକ ପ୍ରସଙ୍ଗରେ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଗସ୍ତ ଅବସରରେ ସେ ପ୍ରଥମେ ସମାସିଂହା ସେବା ସମବାୟ ସମିତି (ପେକ୍ସ) ଏବଂ ପରେ କୋଲାବିରା ପେକ୍ସ ପରିଦର୍ଶନ କରି ଖରିଫ ଚାଷ ପାଇଁ ରସାୟନିକ ସାରର ଉପଲବ୍ଧତା ସମ୍ପର୍କରେ ଅବଗତ ହୋଇଥିଲେ। ଉପସ୍ଥିତ ଚାଷୀମାନଙ୍କ ସହ ଆଲୋଚନା ବେଳେ ଚଳିତ ବର୍ଷ ସାର ଅଭାବ ଯୋଗୁଁ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପସ୍ଥାପନ କରିଥିଲେ।
ଚାଷୀମାନେ ଅଭିଯୋଗ କରିଥିଲେ ଯେ, ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଏକର ପ୍ରତି ସୀମିତ ପରିମାଣର ସାର ବଣ୍ଟନ ହେଉଥିବାରୁ ଆବଶ୍ୟକତା ପୂରଣ ହେଉନାହିଁ। ସେହିପରି ଡିଏପି ଓ ଟିଏସପି ସାରର ଅଭାବ ଯୋଗୁଁ ୧୬-୧୬-୧୬ ସାର କିଣିବାକୁ ବାଧ୍ୟ ହେଉଥିବା ବେଳେ ଏହାର ବଜାର ଦର ଅଧିକ ଥିବାରୁ ଚାଷୀମାନେ ଆର୍ଥିକ ଚାପରେ ପଡ଼ୁଛନ୍ତି।
ଏହି ସମସ୍ୟା ନେଇ ଦୀପାଳି ଦାସ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ସରକାରଙ୍କ ଦୃଷ୍ଟିକୁ ବିଷୟଟି ଆଣିବେ ବୋଲି ଚାଷୀମାନଙ୍କୁ ଆଶ୍ୱାସନ ଦେଇଥିଲେ। ପରେ ସେ ହୃଦଘାତରୁ ସୁସ୍ଥ ହେଉଥିବା ବିଜେଡି ବ୍ଲକ ଯୁବ ସଭାପତି ପ୍ରବୀଣ ସାହୁ ଏବଂ ଦୁର୍ଘଟଣାରେ ଆହତ ହୋଇ ଘରେ ଚିକିତ୍ସାଧୀନ ଥିବା କୋଲାବିରା ସରପଞ୍ଚ ଚେତାନନ୍ଦ ନଈଙ୍କ ଘରକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଏହାପରେ କୋଲାବିରା ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କ ସମସ୍ୟା ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ ମାଝୀ ଓ ନାଏବ ସରପଞ୍ଚ ଅଞ୍ଜଳି ବାଗଙ୍କ ସହ ଆଲୋଚନା କରିଥିଲେ। ନୂତନ ଭତ୍ତା ଅନୁମୋଦନ ନ ମିଳିବାରୁ ଅନେକ ଯୋଗ୍ୟ ବ୍ୟକ୍ତି ସୁବିଧାରୁ ବଞ୍ଚିତ ଥିବା ସମ୍ପର୍କରେ ଅବଗତ ହେବା ପରେ ଏହି ପ୍ରସଙ୍ଗରେ ମଧ୍ୟ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ସେ କହିଥିଲେ।
ଏହି ଗସ୍ତରେ ପୂର୍ବତନ ବିଧାୟିକାଙ୍କ ସହ ବରିଷ୍ଠ କର୍ମୀ ବୀରେନ୍ଦ୍ର କୁମାର ମହାପାତ୍ର, ବରିଷ୍ଠ ନେତା ତୁଲାରାମ ସେନାପତିଙ୍କ ସମେତ ବହୁ ସଂଖ୍ୟକ ସମର୍ଥକ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ