
ନବରଙ୍ଗପୁର, ୧ ଜୁଲାଇ
(ହି.ସ): ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକରେ ଥିବା କଥିତ
ତ୍ରୁଟିକୁ ନେଇ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ବନ୍ଦ ପାଳନ
କରାଯାଇଛି। ଏହି ପ୍ରସଙ୍ଗରେ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ
ଇସ୍ତଫା ଦାବି କରିବା ସହ ରାଜ୍ୟ ସରକାର ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏଥିପାଇଁ ଦାୟୀ
କରିଛି କଂଗ୍ରେସ।
ସକାଳ ୬ଟାରୁ ସନ୍ଧ୍ୟା ୬ଟା
ପର୍ଯ୍ୟନ୍ତ ବନ୍ଦ ପାଳନ କରିବାକୁ ଆହ୍ୱାନ ଦିଆଯାଇଥିଲେ ମଧ୍ୟ ବର୍ଷା ଯୋଗୁଁ ଏହା ପ୍ରାୟ ଏକ
ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ବନ୍ଦ ସମୟରେ କଂଗ୍ରେସ କର୍ମୀମାନେ ନବରଙ୍ଗପୁର ସହରର
ମାଝିଗୁଡ଼ା ଛକ ଏବଂ ଚୌନରିଆଗୁଡ଼ା ଛକରେ ରାସ୍ତାରୋକ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଏହାଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା।
କଂଗ୍ରେସର ଅଭିଯୋଗ ଅନୁଯାୟୀ, ପ୍ରଥମରୁ
ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ନୂଆ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ରାଜ୍ୟ
ସରକାରଙ୍କ ଶିକ୍ଷା ବ୍ୟବସ୍ଥା ପ୍ରତି ଅବହେଳାକୁ ସ୍ପଷ୍ଟ କରୁଛି। ଏହି ଘଟଣାରେ ବିଦ୍ୟାଳୟ ଓ
ଗଣଶିକ୍ଷା ବିଭାଗର ଜବାବଦେହିତା ନିର୍ଦ୍ଧାରଣ କରିବା ସହ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ
ନୈତିକତା ଆଧାରରେ ଇସ୍ତଫା ଦେବାକୁ ଦଳ ଦାବି କରିଛି।
ନୂଆ ପାଠ୍ୟପୁସ୍ତକରେ
ଦେଖାଦେଇଥିବା କଥିତ ତ୍ରୁଟିକୁ ନେଇ ବିବାଦ ବଢ଼ିବା ସହ ବିରୋଧୀ ଦଳମାନେ ଲଗାତାର ସରକାରଙ୍କୁ
ସମାଲୋଚନା କରୁଥିବା ବେଳେ ଏହି ବନ୍ଦ ପାଳନ କରାଯାଇଛି। କଂଗ୍ରେସ କହିଛି ଯେ, ଛାତ୍ରଛାତ୍ରୀଙ୍କ
ଭବିଷ୍ୟତ ସହ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାର ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ
ନେବା ଆବଶ୍ୟକ।
ତେବେ ବନ୍ଦରୁ ଜରୁରୀକାଳୀନ
ସେବାକୁ ବାଦ ଦିଆଯାଇଥିଲା। କ୍ଷୀର ଦୋକାନ,
ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା ଓ ପେଟ୍ରୋଲ ପମ୍ପ ସ୍ୱାଭାବିକ ଭାବେ ଚାଲୁ
ରହିଥିଲା, ଯାହାଫଳରେ
ସାଧାରଣ ଲୋକଙ୍କୁ ଅତ୍ୟାବଶ୍ୟକ ସେବା ମିଳିବାରେ କୌଣସି ସମସ୍ୟା ହୋଇନଥିଲା।
ବନ୍ଦକୁ ଦୃଷ୍ଟିରେ ରଖି
ଜିଲ୍ଲା ପ୍ରଶାସନ ସମଗ୍ର ପରିସ୍ଥିତି ଉପରେ କଡ଼ା ନଜର ରଖିଥିଲା। କୌଣସି ଅପ୍ରୀତିକର ଘଟଣାକୁ
ଏଡ଼ାଇବା ଏବଂ ଆଇନ-ଶୃଙ୍ଖଳା ବଜାୟ ରଖିବା ପାଇଁ ବିଭିନ୍ନ ପ୍ରମୁଖ ସ୍ଥାନରେ ପୁଲିସ ବଳ ମୁତୟନ
କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା