
ଭୁବନେଶ୍ୱର, 01 ଜୁଲାଇ (ହି.ସ.)- ଆୟ ବହିର୍ଭୂତ
ସମ୍ପତ୍ତି (ଡିଏ) ଠୁଳ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଭିମସାର, ବୁର୍ଲା, ସମ୍ବଲପୁରର
ସୁପରିଣ୍ଟେଣ୍ଡେଣ୍ଟ କାର୍ଯ୍ୟାଳୟର ଷ୍ଟିୱାର୍ଡ ଶ୍ରୀ ଅଶ୍ୱିନୀ ମେହେରଙ୍କୁ ଗିରଫ କରିଛି।
ତାଙ୍କୁ ଆଜି ସମ୍ବଲପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ (ସ୍ପେଶାଲ୍ ଜଜ୍, ଭିଜିଲାନ୍ସ)ରେ
ହାଜର କରାଯିବ।
ଶ୍ରୀ ମେହେରଙ୍କ ବିଭିନ୍ନ
ସମ୍ପତ୍ତି ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଓ ତଲାସି କରାଯିବା ପରେ ତାଙ୍କ ନିକଟରୁ ବିପୁଳ
ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ୩ଟି କୋଠା (ଯାହା ମଧ୍ୟରୁ ଗୋଟିଏ ୮,୧୪୫ ବର୍ଗଫୁଟ୍
ବିଶିଷ୍ଟ ବହୁତଳ କୋଠା),୧ଟି ଷ୍ଟୋର୍ ରୁମ୍, ୮୩ ଗ୍ରାମ ସୁନା, ୧୦ଟି ମୂଲ୍ୟବାନ ପ୍ଲଟ୍, ଏବଂ ଅନ୍ୟାନ୍ୟ ସମ୍ପତ୍ତି ଠାବ କରାଯାଇଛି । ଏହି ସମ୍ପତ୍ତିଗୁଡ଼ିକର
ବୈଧ ଉତ୍ସ ସମ୍ପର୍କରେ ଶ୍ରୀ ମେହେର ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇପାରିନଥିବା ଭିଜିଲାନ୍ସ
କହିଛି।
ଏହି ଘଟଣାରେ ସମ୍ବଲପୁର
ଭିଜିଲାନ୍ସ ଥାନାରେ ଭିଜିଲାନ୍ସ ପି.ଏସ୍. କେସ୍ ନଂ. ୦୮/୨୦୨୬ ରୁଜୁ କରାଯାଇଛି। ଶ୍ରୀ ଅଶ୍ୱିନୀ
ମେହେରଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ,
୨୦୧୮ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଭିଜିଲାନ୍ସର
ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା