
ମାଲକାନଗିରି,୨୩ ଜୁଲାଇ (ହି.ସ.)- ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଅବକାରୀ ଵିଭାଗ ପକ୍ଷରୁ ଚଢ଼ଉ କରାଯାଇ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି।
ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଅବକାରୀ ବିଭାଗ ପକ୍ଷରୁ ପାପରମେଟଲା ଥାନା ଅନ୍ତର୍ଗତ ସିଲିଗୁମ୍ମା ଗ୍ରାମ ଜଙ୍ଗଲରେ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ୪୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଉକ୍ତ ଗଞ୍ଜେଇକୁ ବାହାର ରାଜ୍ୟକୁ ଚାଲାଣ କରିବା ଉଦ୍ଦେଶ୍ୟରେ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିଲା। ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ ଓ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରହିଛି।
ଏହି ଚଢ଼ଉରେ ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ବଳ, ବିଗ୍ନରାଜ ଦାମୀ, ଅବକାରୀ ଉପ-ନିରୀକ୍ଷକ ବ୍ରଜ ବିହାରୀ ନାୟକ, ଦୀନବନ୍ଧୁ ସିରା ଏ. ଏସ. ଆଇ ରାମଚନ୍ଦ୍ର ହନ୍ତାଲ, କନେଷ୍ଟବଳ ବିପୁଲ ଶେଖର ଯୋଦାର, ଜ୍ଞାନ ରଞ୍ଜନ ସାହୁ, ଚନ୍ଦ୍ରକାନ୍ତ ନାୟକ, ମୁରଲୀ ରଜକ, ନାଗେଶ ପଣ୍ଡା, ସରିତା ନାୟକ ଓ ଜୁଲି ସା ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ