
ନୂଆପଡ଼ା,୨୩ ଜୁଲାଇ (ହି.ସ.) - ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସରକାରୀ ସହାୟତା ଓ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁବିଧା ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା। ଶିବିରରେ ଭିନ୍ନକ୍ଷମ ବ୍ୟକ୍ତିଙ୍କର ପଞ୍ଜୀକରଣ, ସ୍ୱାସ୍ଥ୍ୟ ପରୀକ୍ଷା, ଭିନ୍ନକ୍ଷମତା ପ୍ରମାଣପତ୍ର ପାଇଁ ଯାଞ୍ଚ ସହ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଆବଶ୍ୟକତା ଅନୁଯାୟୀ ସହାୟକ ଉପକରଣ ପ୍ରଦାନ ପାଇଁ ମଧ୍ୟ ଆବେଦନ ଗ୍ରହଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ , ଉପାଧ୍ୟକ୍ଷ ଗୌତମ ତାଣ୍ଡି, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ବିଡ଼ିଓ ମିଳନ କୁମାର ଝାଙ୍କର, ବିଏସଏସଓ କୁମର ମାଝୀଙ୍କ ସହ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ସମାଜ ମଙ୍ଗଳ ବିଭାଗର ଅଧିକାରୀ ଓ ବହୁ ସଂଖ୍ୟାରେ ଭିନ୍ନକ୍ଷମ ବ୍ୟକ୍ତି ଏବଂ ସେମାନଙ୍କ ପରିବାର ସଦସ୍ୟ ଉପସ୍ଥିତ ରହିଥିଲେ। ଶିବିରକୁ ସଫଳ କରିବା ପାଇଁ ସମ୍ପୃକ୍ତ ବିଭାଗର କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିବା ବେଳେ, ଏଭଳି ଶିବିର ମାଧ୍ୟମରେ ଭିନ୍ନକ୍ଷମ ବ୍ୟକ୍ତିମାନେ ସରକାରୀ ସେବା ସହଜରେ ପାଇପାରୁଥିବାରୁ ସ୍ଥାନୀୟ ଲୋକେ ସନ୍ତୋଷ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ