

ଜୟପୁର, ୨୩ ଜୁଲାଇ (ହି.ସ.)- କୋରାପୁଟ ଜିଲାର ବୋରିଗୁମ୍ମାରେ ଜଗା କାଳିଆ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ଯାତ୍ରୀ। ଦୁର୍ଘଟଣାର କାରଣ କ'ଣ, ବେପରୁଆ ଗତି... ନା ଅନ୍ୟ କିଛି କାରଣ..। ସେନେଇ ତଦନ୍ତ କରୁଛି ପୋଲିସ। ୫୦ରୁ ୬୦ ଥିବା ଯାତ୍ରୀ ଭର୍ତ୍ତି ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼ର କ୍ଷେତକୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି।
ଘଟଣା ଘଟିଛି କୋରାପୁଟ ଜିଲ୍ଲା ଆଉଁଳି ଗାଁ ନିକଟରେ। ରାସ୍ତା କଡ଼ରେ କ୍ଷେତ ଭିତରେ ଓଲଟି ପଡ଼ିଛି ଯାତ୍ରୀବାହୀ ବସ୍। ବସ୍ ର ଭଙ୍ଗା କାଚ... ଚାରିଆଡ଼େ ଛିନ୍ନଭିନ୍ନ ସାମଗ୍ରୀ... ଆଉ ଆହତ ଯାତ୍ରୀଙ୍କ ଚିତ୍କାରରେ କମ୍ପି ଉଠିଥିଲା ସମଗ୍ର ଅଞ୍ଚଳ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରୁ ଗୁଣୁପୁର ଅଭିମୁଖେ ଯାଉଥିବା ଜଗାକାଳିଆ ବସ୍ ନବରଙ୍ଗପୁରରେ ଶୋଭାଯାତ୍ରା ଚାଲୁଥିବାରୁ ୩୦ ମିନିଟ ଅପେକ୍ଷା କରିବାରୁ ବସ ବିଳମ୍ବ ହୋଇଥିବାରୁ ଦ୍ରୁତ ଗତିରେ ଜୟପୁର ଅଭିମୁଖେ ଯାଉଥିଲା। ଆଉଁଳି ଗାଁ ନିକଟରେ ବସ୍ ଟି ଭାରସାମ୍ୟ ହରାଇ ପ୍ରଥମେ ରାସ୍ତା କଡ଼ରେ ଥିବା ଡିଭାଇଡରକୁ ଧକ୍କା ଦେଇ କ୍ଷେତକୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା। କେହି ବସ୍ ଭିତରେ ଫସି ରହିଥିବା ବେଳେ କେହି ନିଜେ ବାହାରକୁ ଆସିଥିଲେ। ନିକଟସ୍ଥ କ୍ଷେତରେ କାମ କରୁଥିବା ଲୋକେ ସର୍ବପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ନବରଙ୍ଗପୁର ଓ ବୋରିଗୁମ୍ମା ଅଗ୍ନିଶମ ବାହିନୀ ପହଞ୍ଚି ବସ୍ ରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବୋରିଗୁମ୍ମା ଚିକିତ୍ସାଳୟକୁ ପଠାଯାଇଛି। ଏପଟେ ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ପ୍ରକୃତରେ କେଉଁ କାରଣରୁ ବସ୍ ଟି ଭାରସାମ୍ୟ ହରାଇଲା, ସେନେଇ ତଦନ୍ତ ଚାଲିଛି। ବସ ଟିକୁ ଦୃତ ଗତିରେ ଚଲାଉଥିବାରୁ ଯାତ୍ରୀ ମାନେ ମନା କରିଥିଲେ ବି ଡ୍ରାଇଭର ଶୁଣିନଥିବା ଯାତ୍ରୀ ମାନେ ଅଭିଯୋଗ କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି