
ଚମ୍ପୁଆ 23 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ରଜିଆ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ଦ୍ରୁତଗାମୀ ମହିନ୍ଦ୍ରା ଥାର୍ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଆମ୍ବ ଗଛରେ ପିଟିହେବା ଫଳରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ସିଜୁକଳା ଗ୍ରାମର ତ୍ରୀଲୋଚନ ଆପଟ, ତାଙ୍କ ସ୍ତ୍ରୀ କଇଫୁଲ ଆପଟ ଏବଂ କକା ଭାସ୍କର ଆପଟ। ଏହି ଦୁର୍ଘଟଣାରେ ପୁଅ ରଞ୍ଜିତ ଆପଟ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସିଜୁକଳା ଗ୍ରାମର ତ୍ରୀଲୋଚନ ଆପଟଙ୍କର ହଠାତ୍ ପେଟ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଜରୁରୀକାଳୀନ ଚିକିତ୍ସା ପାଇଁ ପୁଅ ରଞ୍ଜିତ, ସ୍ତ୍ରୀ କଇଁଫୁଲ ଏବଂ କକା ଭାସ୍କର ଏକ ମହିନ୍ଦ୍ରା ଥାର୍ ଗାଡ଼ିରେ ଚମ୍ପୁଆ ଡାକ୍ତରଖାନାକୁ ନେଉଥିଲେ। ମାତ୍ର ରଜିଆ ନିକଟରେ ଗାଡ଼ିଟି ଅତ୍ୟନ୍ତ ଦ୍ରୁତ ଗତିରେ ଥିବାରୁ ଚାଳକ ନିୟନ୍ତ୍ରଣ ହରାଇଥିଲେ ଓ ଗାଡ଼ିଟି ସିଧାସଳଖ ରାସ୍ତାକଡ଼ ଆମ୍ବ ଗଛରେ ପିଟି ହୋଇଯାଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ କକା ଭାସ୍କର ଆପଟଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଚମ୍ପୁଆ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଗାଡ଼ି ଭିତରୁ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବା ସମୟରେ ବାପା ତ୍ରୀଲୋଚନ ଆପଟ ଏବଂ ମାଆ କଇଁଫୁଲ ଆପଟ ରାସ୍ତାରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଗାଡ଼ି ଚଲାଉଥିବା ପୁଅ ରଞ୍ଜିତ ଆପଟ ଏବେ ଗୁରୁତର ଅବସ୍ଥାରେ କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ଚମ୍ପୁଆ ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଗୋଟିଏ ପରିବାରର ୩ ଜଣଙ୍କର ଏଭଳି ଅକାଳ ବିୟୋଗକୁ ନେଇ ସ୍ଥାନୀୟ ସିଜୁକଳା ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta