
ଝାରସୁଗୁଡ଼ା, ୨୩ ଜୁଲାଇ (ହି.ସ.)- ଝାରସୁଗୁଡ଼ା ପୂର୍ତ୍ତ ବିଭାଗ ଅଧୀନ କୋଲାବିରା ବ୍ଲକର ବଡ଼ବାହାଲ ଛକରୁ ସମାସିଂହାକୁ ସଂଯୋଗ କରୁଥିବା ପ୍ରମୁଖ ପୂର୍ତ୍ତ ରାସ୍ତା ପାର୍ଶ୍ୱରେ ଥିବା ଏକ ବିଶାଳ ଆମ୍ବଗଛ ବର୍ତ୍ତମାନ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ସ୍ଥାନୀୟ ଲୋକ ଓ ଦୈନିକ ଯାତ୍ରୀମାନଙ୍କ ମଧ୍ୟରେ ଗଭୀର ଆଶଙ୍କା ସୃଷ୍ଟି ହୋଇଛି।
ସ୍ଥାନୀୟ ସୂଚନା ଅନୁଯାୟୀ, ଗଛଟିର ମୂଳ ଅଂଶର ପ୍ରାୟ ୭୫ ପ୍ରତିଶତ ଭାଗ ଭାଙ୍ଗିଯାଇଥିବାରୁ ଏହା ସମ୍ପୂର୍ଣ୍ଣ ଦୁର୍ବଳ ଅବସ୍ଥାରେ ରହିଛି। ଫଳରେ ଅଳ୍ପ ବେଗର ପବନ କିମ୍ବା ଲଗାତାର ବର୍ଷା ହେଲେ ଯେକୌଣସି ସମୟରେ ଗଛଟି ରାସ୍ତା ଉପରକୁ ଭାଙ୍ଗି ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଦୁଇଚକିଆ, ଚାରିଚକିଆ ଯାନ, ସ୍କୁଲ ଛାତ୍ରଛାତ୍ରୀ, ସାଇକେଲ ଆରୋହୀ ଓ ପଦଯାତ୍ରୀ ଯାତାୟାତ କରୁଥିବାରୁ ବିପଦପୂର୍ଣ୍ଣ ଗଛଟି ଯେକୌଣସି ମୁହୂର୍ତ୍ତରେ ବଡ଼ ଦୁର୍ଘଟଣାର କାରଣ ପାଲଟିପାରେ। ବିଶେଷକରି ବର୍ଷା ଋତୁରେ ପବନର ପ୍ରକୋପ ବଢ଼ୁଥିବାରୁ ସ୍ଥିତି ଅଧିକ ଚିନ୍ତାଜନକ ହୋଇପଡ଼ିଛି।
ସ୍ଥାନୀୟ ବାସିନ୍ଦାମାନଙ୍କ କହିବା ଅନୁସାରେ, ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ତୁରନ୍ତ ଗଛଟିର ଯାଞ୍ଚ କରାଯାଇ ଆବଶ୍ୟକ ହେଲେ କାଟି ସୁରକ୍ଷିତ ଭାବେ ରାସ୍ତାରୁ ହଟାଇବା ଅତ୍ୟାବଶ୍ୟକ। କୌଣସି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ସଚେତନତା ଅବଲମ୍ବନ କରି ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ଅଞ୍ଚଳବାସୀ ଓ ରାସ୍ତା ବ୍ୟବହାରକାରୀମାନେ ଝାରସୁଗୁଡ଼ା ପୂର୍ତ୍ତ ବିଭାଗର ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ହସ୍ତକ୍ଷେପ କରି ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ