
ଝାରସୁଗୁଡ଼ା, ୨୩ ଜୁଲାଇ (ହି.ସ.)
ଝାରସୁଗୁଡ଼ା ଜିଲ୍ଲାର କିର୍ମିରା ବ୍ଲକ୍ ଅନ୍ତର୍ଗତ ବାଗଡ଼ିହି ଗ୍ରାମର ମୁଖ୍ୟ ରାସ୍ତାର ଅବସ୍ଥା ଦିନକୁ ଦିନ ବେହାଲ ହୋଇପଡ଼ିଛି। ଦୀର୍ଘଦିନ ଧରି ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାର ପିଚୁ ଉଠିଯାଇ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବାରୁ ସାଧାରଣ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହେଉଛି।
ବିଶେଷକରି ବର୍ଷା ଦିନରେ ଖାଲଖମାରେ ପାଣି ଜମି ରହୁଥିବାରୁ ଦୁର୍ଘଟଣାର ଆଶଙ୍କା ବଢ଼ିଯାଇଛି। ସ୍କୁଲ୍ ରୁ ଯାଉଥିବା ଛାତ୍ରଛାତ୍ରୀ, ରୋଗୀଙ୍କୁ ହସ୍ପିଟାଲ ନେବା ଆଣିବା ସହ ସାଧାରଣ ଲୋକଙ୍କ ଦୈନନ୍ଦିନ ଯାତାୟାତରେ ନାନା ସମସ୍ୟା ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ରାସ୍ତାର ସ୍ଥାୟୀ ମରାମତି ଏବଂ ଶୀଘ୍ର ପୁନଃନିର୍ମାଣ ପାଇଁ ବାଗଡ଼ିହି ଗ୍ରାମର ଗଙ୍ଗାଧର ରଥ, କୁନା ସେଟ୍, ମଳୟ ସାହୁଙ୍କ ସମେତ ବହୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି ଉଠାଇଛନ୍ତି। ଲୋକଙ୍କ ଦୈନନ୍ଦିନ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଅତିଶୀଘ୍ର ରାସ୍ତା କାମ ଆରମ୍ଭ କରିବାକୁ ସେମାନେ ଅନୁରୋଧ କରିଛନ୍ତି।
ଏ ସମ୍ପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଲେଙ୍କାଙ୍କ ପ୍ରତିକ୍ରିୟା ପାଇଁ ଫୋନ୍ ଯୋଗେ ଯୋଗାଯୋଗର ପ୍ରୟାସ କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା। ଶୀଘ୍ର ରାସ୍ତା ନିର୍ମାଣ କାମ ଆରମ୍ଭ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ