
ଝାରସୁଗୁଡ଼ା,୨୩, ଜୁଲାଇ (ହି.ସ.) - ଝାରସୁଗୁଡ଼ା ସହର ସ୍ଥିତ ପୁରୁଣା ବସଷ୍ଟାଣ୍ଡ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ଗୁରୁବାର ଅପରାହ୍ନ ରେ ଭାଜପା ପକ୍ଷରୁ ଏକ ବିଶାଳ ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିଜେପି ବିରୋଧୀ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଦେଇଥିବା ଭିତ୍ତି ହୀନ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରି ଦଳ ପକ୍ଷରୁ ଏହି ପ୍ରଦର୍ଶନ କରାଯାଇଥିଲା। ଏହି ଅବସର ରେ ବିଜେପି ର କାର୍ଯ୍ୟକର୍ତ୍ତା ମାନେ ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ।ନିଟ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଜେଡି ରାଜ୍ୟ ତଥା ଦେଶର ଛାତ୍ରଛାତ୍ରୀଙ୍କ ଭାବନା ସହ ଖେଳୁଥିବା ଏବଂ ଏହାକୁ ନିଜର ରାଜନୈତିକ ସ୍ୱାର୍ଥ ସାଧନର ମାଧ୍ୟମ କରୁଥିବା ଭାଜପା ନେତୃବୃନ୍ଦ ଅଭିଯୋଗ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ସସ୍ତା ରାଜନୀତି କରିବା ପରିବର୍ତ୍ତେ ସେମାନଙ୍କ ସ୍ୱାର୍ଥ, ନ୍ୟାୟସଙ୍ଗତ ଅଧିକାର ଓ ଶିକ୍ଷା ବ୍ୟବସ୍ଥାର ସ୍ୱଚ୍ଛତାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ଭାଜପା ପକ୍ଷରୁ ଦାବି କରା ଯାଇଛି।ଏହି ପ୍ରତିବାଦ ସଭାରେ ଭାଜପା ର ବହୁ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଅରବିନ୍ଦ ପାଠକ, ଦିଲେଶ୍ଵର ରାଓ, ବବଲୁ ସିଂ, ସୋନୁ ଥିରାଣୀ, ବିଜୟ ଶର୍ମା, ହେମରଞ୍ଜନ ସିଂ, ରାଜେନ୍ଦ୍ର ସା, ସାଧୁ ଯାଦବ, ଆନନ୍ଦ ଶର୍ମା, ପ୍ରେମସେନ ରାୟ , ମନୋଜ କଲେତ ଙ୍କ ସମେତ ମହିଳା ନେତ୍ରୀ ଶକୁନ୍ତଳା ଶୁକ୍ଲା, ମମତା ପଟେଲ, ସୁଦେଶନା ମହାପାତ୍ର ଓ ଅନିତା ପ୍ରଧାନ ପ୍ରମୁଖ ସାମିଲ ହୋଇ ବିରୋଧୀ ଦଳଗୁଡ଼ିକ ବିରୋଧରେ ନାରାବାଜି କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ