

ମାଲକାନଗିରି, ୨୩ ଜୁଲାଇ (ହି.ସ.)-
ସ୍ବଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ସରକାର ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଚଳାଇ ଆସୁଛନ୍ତି। ସାଧାରଣ ଲୋକଙ୍କୁ ପରିଷ୍କାର-ପରିଚ୍ଛନ୍ନତା ବଜାୟ ରଖିବା ସହ ପାରିପାର୍ଶ୍ବକ ପରିବେଶକୁ ସ୍ଵଚ୍ଛ ରଖିବା ଏବଂ ଅଳିଆ ଆବର୍ଜନା ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା ପାଇଁ ସଚେତନ କରାଯାଉଛି। ଏହାସତ୍ତ୍ବେ ଅମାନିଆ ବ୍ୟକ୍ତି ରାସ୍ତାକଡ଼ ଓ ଡ୍ରେନରେ ଆବର୍ଜନା ପକାଇ ପରିବେଶକୁ ପ୍ରଦୂଷିତ କରୁଥିବା ଅଭିଯୋଗ ହେଉଛି।
ମାଥିଲି ସ୍ଥିତ ମିନି ବ୍ୟାଙ୍କ ନିକଟ ରାସ୍ତାର ଉଭୟ ପାର୍ଶ୍ଵରେ ଦୀର୍ଘଦିନ ଧରି ଅଳିଆ ଆବର୍ଜନା ଗଦା ହୋଇ ରହିଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ଫଳରେ ଯାତାୟାତ କରୁଥିବା ଲୋକମାନେ ନାକରେ ରୁମାଲ କିମ୍ବା ହାତ ଦେଇ ଯିବାକୁ ବାଧ୍ୟ ହେଉଥିଲେ | ଏହା ଦେଖି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣା ଏବଂ ସ୍ବଚ୍ଛ ଭାରତ ଅଭିଯାନ ବିଭାଗର ଅଧିକାରୀ ପ୍ରଦୀପ ଡାକୁଆଙ୍କ ଉପସ୍ଥିତିରେ ସଫେଇ କର୍ମଚାରୀମାନେ ଉକ୍ତ ସ୍ଥାନରୁ ଆବର୍ଜନା ହଟାଇ ସଫା କରିଥିଲେ | ଏଥିସହ ରାସ୍ତାକଡ଼ କିମ୍ବା ସର୍ବସାଧାରଣ ସ୍ଥାନରେ ଅଳିଆ ନ ପକାଇ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବାକୁ ସଚେତନ କରାଯାଇଥିଲା l
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ