
ସମ୍ବଲପୁର, ୨୩ ଜୁଲାଇ (ହି.ସ.)- ଗୁରୁବାର ସକାଳ ୬ଟା ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରରୁ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଚାଲିଥିବା ବେଳେ ପରେ ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବାହ୍ନ ୯ଟା ସୁଦ୍ଧା ଆଉ ୪ଟି ସ୍ଲୁଇସ୍ ଗେଟ୍ (ଜଳଭଣ୍ଡାରର ବାମ ପାଶ୍ୱର୍ ଡାଇକ୍ ର ୩ଟି ଓ ଡାହାଣ ପାଶ୍ୱର୍ ଡାଇକ୍ ର ୧ଟି )ଖୋଲାଯାଇଛି । ଫଳରେ ହୀରାକୁଦ ଜଳଭଣ୍ଡାରରୁ ୧୬ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପାଶ୍ୱର୍ ଡାଇକ୍ ର ୧୧ଟି ଏବଂ ଡାହାଣ ପାଶ୍ୱର୍ ଡାଇକ୍ ର ୫ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି ।
ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ପତନ ୬୧୪.୫୨ ଫୁଟ୍ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୦ ହଜାର ୩୭୬ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୧୬ଟି ସ୍ଲୁଇସ୍ ଗେଟ୍, ସ୍ପିଲୱେ, ପାୱାର ଚେନେଲ, ଶିଳ୍ପ ବ୍ୟବହାର ଓ ବିଭିନ୍ନ କେନାଲ ଦେଇ ମୋଟ୍ ୨ ଲକ୍ଷ ୭୦ ହଜାର ୩୧୪ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।
ସେହିପରି ଗତ ୨୪ ଘଂଟା ମଧ୍ୟରେ ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ହାରାହାରି ୧୧.୬୨ ମି.ମି. ଏବଂ ତଳ ମୁଣ୍ଡରେ ହାରାହାରି ୭.୧୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ବନ୍ୟାଜଳ ନିଷ୍କାସନ ଗତ ୧୯ ତାରିଖ ମଧ୍ୟାହ୍ନରୁ ଆରମ୍ଭ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ