
ନୂଆପଡ଼ା, ୨୩ ଜୁଲାଇ (ହି.ସ.) - ଦେଶ ଆଜି କୃତ୍ରିମ ବୁଦ୍ଧିମତ୍ତା ଏଆଇ ଓ ୫ଜି ଇଣ୍ଟରନେଟ ଓ ଡିଜିଟାଲ ସେବାର ନୂଆ ଯୁଗକୁ ଅତିକ୍ରମ କରୁଥିବା ବେଳେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖାସବାହାଲ, ଲାଞ୍ଜି ଓ ଦାବ୍ରୀ ପଞ୍ଚାୟତର ହଜାର ହଜାର ଲୋକ ଆଜି ମଧ୍ୟ ମୌଳିକ ମୋବାଇଲ ନେଟୱାର୍କ ସୁବିଧାରୁ ବଞ୍ଚିତ ରହିଛନ୍ତି। ଅନେକ ଗାଁରେ ମୋବାଇଲରେ କଥା ହେବା ତ ଦୂରର କଥା, ଗୋଟିଏ ସିଗ୍ନାଲ ପାଇବା ପାଇଁ ଲୋକଙ୍କୁ ପାହାଡ଼, ଉଚ୍ଚ ସ୍ଥାନ କିମ୍ବା ଗାଁ ବାହାରକୁ ଯିବାକୁ ପଡ଼ୁଛି। ଏହି ତିନୋଟି ପଞ୍ଚାୟତର ଅଧିକାଂଶ ଅଞ୍ଚଳ ଜଙ୍ଗଲ ଓ ପାହାଡ଼ ଘେରା ହୋଇଥିବାରୁ ଟେଲିକମ୍ କମ୍ପାନୀମାନଙ୍କ ଟାୱାରର ସିଗ୍ନାଲ ଠିକ୍ ଭାବେ ପହଞ୍ଚିପାରୁନାହିଁ। ଫଳରେ ଲୋକମାନେ ଦୈନନ୍ଦିନ ଜୀବନରେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଆଜି ସରକାରୀ ସେବାଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ, ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଅନଲାଇନ ଆବେଦନ, ଆଧାର ସଂଯୋଗ, ସ୍ୱାସ୍ଥ୍ୟ ସେବା ଓ ଜରୁରୀକାଳୀନ ଯୋଗାଯୋଗ ପର୍ଯ୍ୟନ୍ତ ସବୁକିଛି ମୋବାଇଲ ଓ ଇଣ୍ଟରନେଟ ଉପରେ ନିର୍ଭରଶୀଳ। କିନ୍ତୁ ଏହି ଅଞ୍ଚଳର ଲୋକମାନେ ନେଟୱାର୍କ ନଥିବାରୁ ଅନଲାଇନ ସେବା ପାଇବାରେ ବହୁତ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ଛାତ୍ରଛାତ୍ରୀମାନେ ଅନଲାଇନ ଫର୍ମ ପୂରଣ, ପରୀକ୍ଷା ସମ୍ବନ୍ଧୀୟ ସୂଚନା ଓ ଡିଜିଟାଲ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଚାଷୀମାନେ ପାଣିପାଗ, ଫସଲ ବୀମା ଓ ସରକାରୀ ଯୋଜନାର ସୂଚନା ସମୟରେ ପାଉନାହାନ୍ତି। ଜରୁରୀ ସମୟରେ ଆମ୍ବୁଲାନ୍ସ, ଅଗ୍ନିଶମ କିମ୍ବା ପୋଲିସକୁ ଫୋନ କରିବା ମଧ୍ୟ ଅନେକ ସମୟରେ ସମ୍ଭବ ହୋଇପାରୁନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବହୁବାର ପ୍ରଶାସନ ଓ ଜନପ୍ରତିନିଧିଙ୍କ ନିକଟରେ ନୂତନ ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବି କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନାହିଁ। ନିର୍ବାଚନ ସମୟରେ ବିଭିନ୍ନ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ପରେ ସମସ୍ୟାକୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହେଉଛି। ଡିଜିଟାଲ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବାକୁ ହେଲେ ଏଭଳି ଗ୍ରାମାଞ୍ଚଳରେ ଉନ୍ନତ ମୋବାଇଲ ନେଟୱାର୍କ ଓ ଇଣ୍ଟରନେଟ ସୁବିଧା ପହଞ୍ଚାଇବା ଅତ୍ୟନ୍ତ ଜରୁରୀ। ଏଆଇ ଓ ୫ଜିର କଥା କହିବା ପୂର୍ବରୁ ଲୋକଙ୍କୁ ଅତି କମରେ ନିରବଚ୍ଛିନ୍ନ ୪ଜି କିମ୍ବା ମୌଳିକ ମୋବାଇଲ ସଂଯୋଗ ମିଳିବା ଆବଶ୍ୟକ। ଏବେ ଖାସବାହାଲ, ଲାଞ୍ଜି ଓ ଦାବ୍ରୀ ପଞ୍ଚାୟତବାସୀଙ୍କ ଦାବି ହେଉଛି, ସରକାର ଓ ସମ୍ପୃକ୍ତ ଟେଲିକମ୍ ସଂସ୍ଥା ଶୀଘ୍ର ନୂତନ ମୋବାଇଲ ଟାୱାର ସ୍ଥାପନ କରି ସ୍ଥାୟୀ ନେଟୱାର୍କ ବ୍ୟବସ୍ଥା କରନ୍ତୁ, ଯାହାଦ୍ୱାରା ସେମାନେ ମଧ୍ୟ ଡିଜିଟାଲ ଭାରତର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ