


ସମ୍ବଲପୁର, ୨୩, ଜୁଲାଇ (ହି.ସ.) ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ରେଢାଖୋଲ ଥାନା ଅନ୍ତର୍ଗତ ମୁଟୁରମୁଣ୍ଡା ସେବାଶ୍ରମ ବିଦ୍ୟାଳୟର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣକ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ଗୁରୁବରତା ଗ୍ରାମର ଜସ୍ମିତା ବଡାଇ (୬) ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ ସେ ଏହି ସେବାଶ୍ରମ ସ୍କୁଲରେ ରହି ପାଠ ପଢ଼ୁଥିଲେ । ଗତକାଲି ବିଳମ୍ବିତ ରାତିରେ ହଠାତ୍ ଜସ୍ମିତା ଅସୁସ୍ଥ ହୋଇପଡ଼ିବାରୁ ବଡ଼ ଦିଦି ପ୍ରିତି ବଡ଼ାଇ ତୁରନ୍ତ ମୋଟ୍ରୋ ଜୟନ୍ତୀ ବାର୍ଲା ସାହୁଙ୍କୁ ଜଣାଇଥିଲେ । ବିଳମ୍ବିତ ରାତି ହୋଇଥିବାରୁ ଆଜି ସକାଳେ ଏକ ଅଟୋ ଯୋଗେ ଜସ୍ମିତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଧାନ ଶିକ୍ଷକ ପ୍ରଣବ କୁମାର ପ୍ରଧାନ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । କିଛି ସମୟର ଚିକିତ୍ସା ମଧ୍ୟରେ ଜସ୍ମିତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତର ଜସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଆସିବା ପରେ ମୃତଦେହର ବ୍ଯବଛେଦ କରାଯାଇ ଥିଲା । ବ୍ଯବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଛୋଟ ଛୋଟ ପିଲାଙ୍କୁ ସେବାଶ୍ରମ ସ୍କୁଲରେ ରଖାଯାଉଥିବା ବେଳେ ସେମାନଙ୍କ ଅସୁସ୍ଥତାରେ ତ୍ୱରିତ ସ୍ବାସ୍ଥ୍ୟ ସେବା ଯୋଗା ଯାଇନପାରିବା ଏହା ସରକାରଙ୍କ ଏକ ପହସନାତ୍ମକ ଯୋଜନା ବୋଲି ସାଧାରଣରେ ମତପ୍ରକାଶ କରିଛନ୍ତି । ସେହିପରି ନିଜର ଶିଶୁ କନ୍ଯାର ଏଭଳି ସନ୍ଦେହଜନକ ମୃତ୍ୟୁ ଘଟିଥିଲେ ମଧ୍ୟ ଦୁର୍ବଳ ଆର୍ଥିକ ସ୍ଥିତିର ବାପ ମାଁ କୌଣସି ପ୍ରତିବାଦ କରିନଥିଲେ ମଧ୍ୟ କ୍ୟାମେରା ସମ୍ମୁଖରେ ଉଭୟଙ୍କ ଆଖିର ଲୁହ କହିଦେଉଥିଲା ସେମାନେ କେତେ ଅସହାୟ !
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ