
ଭୁବନେଶ୍ୱର, ୨୩ ଜୁଲାଇ(ହି.ସ )- ଓଡ଼ିଶାରେ ଚାଷୀଙ୍କର ବହୁବିଧ ସମସ୍ୟା ଏବଂ ସାରର କଳାବଜାରୀକୁ ନେଇ ଓଜେସି କୃଷକ ମୋର୍ଚ୍ଚା ସଭାପତି ସଂଗ୍ରାମ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଗୁରୁବାର ଓଡ଼ିଶାର ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ଓଜେସି କୃଷକ ସେଲ୍ ପକ୍ଷରୁ ଦାବି କରାଯାଇଛି ଯେ: ସାର ପାଇଁ ସୋସାଇଟିରେ କେବଳ ଜଣେ ମେମ୍ବର କିମ୍ବା ଲୋନି ହୋଇଥିବା ବାଧ୍ୟତାମୂଳକ ନିୟମକୁ ତୁରନ୍ତ ସରଳ କରାଯାଉ ଏବଂ ସବୁ ମଣ୍ଡି ଓ ପାକ୍ସ/ଲାମ୍ପସ୍ ରେ ପର୍ଯ୍ୟାପ୍ତ ସାର ମହଜୁଦ ରଖାଯାଉ।ସାର ଜମାଖୋର ଓ କଳାବଜାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେମାନଙ୍କୁ ତୁରନ୍ତ ଗିରଫ ଓ ଜେଲ୍ ପଠାଯାଉ। ଗ୍ରୋମର ସାର ଦରରେ ବସ୍ତା ପିଛା ଯେଉଁ ୧,୦୦୦ ଟଙ୍କା ବୃଦ୍ଧି କରାଯାଇଛି, ତାହା ସରକାର ନିଜ ଆଡ଼ୁ ସବସିଡି ଆକାରରେ ବହନ କରି ଚାଷୀଙ୍କୁ ପ୍ରଦାନ କରନ୍ତୁ। ମହଙ୍ଗା ଏନପିକେ ଭଳି ନୂଆ ସାରର ବାଧ୍ୟତାମୂଳକ ଏକ୍ସପେରିମେଂଟ ତୁରନ୍ତ ବନ୍ଦ କରାଯାଇ ଚାଷୀଙ୍କ ଆର୍ôଥକ ବୋଝ ହ୍ରାସ କରାଯାଉ। ବୀମା ଆକଳନ ପାଇଁ ବ୍ୟକ୍ତିଗତ ଜମିକୁ ୟୁନିଟ୍ ଧରାଯାଉ ଏବଂ ଓଡ଼ିଶାର ସର୍ବାଧିକ ସଂଖ୍ୟକ ଭାଗଚାଷୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ।
ଓଡ଼ିଶାର ଅନ୍ନଦାତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ରାଜ୍ୟପାଳ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରି ରାଜ୍ୟ ସରକାରଙ୍କୁ ଦୃଢ଼ ନିର୍ଦ୍ଦେଶ ଦେବାକୁ ଓଜେସି କୃଷକ ସେଲ୍ ପ୍ରତିନିଧିମଣ୍ଡଳୀ ସ୍ମାରକପତ୍ର ମାଧ୍ୟମରେ ବିନମ୍ର ଅନୁରୋଧ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ଓଜେସିର ଉପସଭାପତି ପ୍ରଦୀପ ପ୍ରଧାନ, ଓଜେସି ସେବା ସଂଗଠନର ଅଧ୍ୟକ୍ଷ, ମନୋଜ ଜେନା, ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ, ପ୍ରତିଷ୍ଠାତା ସଦସ୍ୟ ତଥା କୃଷକ ନେତା ଦୁର୍ଗାଚରଣ ବାରିକ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା