ରାସ୍ତାରେ ବୁଲା ଗୋରୁଙ୍କ ଆତଙ୍କ : ବଢ଼ୁଛି ଦୁର୍ଘଟଣା, ସ୍ଥାୟୀ ସମାଧାନ ଦାବି
Problem due to stray cow
Stray cow


ଝାରସୁଗୁଡ଼ା, ୨୩ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ଓ ସହରାଞ୍ଚଳରେ ବୁଲା ଗାଈଗୋରୁଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ସାଧାରଣ ଲୋକଙ୍କ ସୁରକ୍ଷା ଓ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେଉଛି। କାର୍ଯ୍ୟକ୍ଷମ ଗୋଶାଳାର ଅଭାବ ଓ ଯଥାଯଥ ପରିଚାଳନା ନ ଥିବାରୁ ଗୋରୁମାନେ ମୁଖ୍ୟ ରାସ୍ତାକୁ ଚାଲିଆସୁଛନ୍ତି। ଫଳରେ ଦିନ ହେଉ କି ରାତି, ସହରର ବିଭିନ୍ନ ବ୍ୟସ୍ତବହୁଳ ରାସ୍ତାରେ ଗୋରୁଙ୍କ ଅବାଧ ବିଚରଣ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ିଚାଲିଛି।

ସୂଚନାଯୋଗ୍ୟ, ପ୍ରାୟ ୧୫ ଦିନ ପୂର୍ବେ କୋଲାବିରା ମୁଖ୍ୟ ରାସ୍ତାରେ ଏକ ବୋଲେରୋ ଗାଡ଼ି ଧକ୍କାରେ ତିନିଟି ଗାଈଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡ଼ିରେ ଥିବା ଚାରିଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ବିଶେଷକରି ସନ୍ଧ୍ୟା ସମୟ ଓ ବର୍ଷା ଋତୁରେ ହଠାତ୍ ରାସ୍ତା ମଝିକୁ ଗୋରୁ ଚାଲିଆସିବା ଯୋଗୁଁ ପ୍ରାୟ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।

ଅନ୍ୟପଟେ, ରାସ୍ତାକଡ଼ରେ ପଡ଼ିଥିବା ପ୍ଲାଷ୍ଟିକ୍ ଓ ଆବର୍ଜନା ଖାଇ ଏହି ମୂକ ପଶୁମାନେ ବିଭିନ୍ନ ରୋଗରେ ପୀଡ଼ିତ ହେଉଥିବାରୁ ପଶୁ କଲ୍ୟାଣକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ଝାରସୁଗୁଡ଼ା ସିଡିଭିଓ ଦୟାସାଗର ଧୂରିଆଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ କୌଣସି ମତାମତ ଦେଇନଥିଲେ। ସେପଟେ ଝାରସୁଗୁଡ଼ା ବଜରଙ୍ଗ ଦଳର ମୁଖ୍ୟ ରବି ଗିଦ୍ୱାନୀ କହିଛନ୍ତି ଯେ, ସଂଗଠନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରୁ ଆହତ ଗୋରୁଙ୍କୁ ଉଦ୍ଧାର କରି ଚିକିତ୍ସା କରାଯାଉଛି। ତେବେ ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଠୋସ୍ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ପୌରପାଳିକା ଓ ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ରାସ୍ତାରୁ ବୁଲା ଗୋରୁଙ୍କୁ ହଟାଇ ସୁରକ୍ଷିତ ଗୋଶାଳାରେ ରଖିବା ସହ ସ୍ଥାୟୀ ବ୍ୟବସ୍ଥା କରିବାକୁ ସାଧାରଣ ଲୋକ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande