
ଝାରସୁଗୁଡ଼ା, ୨୩ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ଭଲ ବର୍ଷା ହୋଇଥିବା ଜିଲ୍ଲା ବର୍ଷା ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ମୋଟ ୧୫୪.୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ହାରାହାରି ବର୍ଷାର ପରିମାଣ ୩୦.୮୪ ମିଲିମିଟର ରହିଛି। ଏହି ବର୍ଷା ଯୋଗୁଁ ଚାଷ କାର୍ଯ୍ୟରେ ଗତି ଆସିବା ସହ ଜଳସ୍ତରରେ ମଧ୍ୟ ଉନ୍ନତି ହେବ ବୋଲି ଆଶା କରାଯାଉଛି।
ଜିଲ୍ଲାର ପାଞ୍ଚଟି ବ୍ଲକ ମଧ୍ୟରୁ କୋଲାବିରା ବ୍ଲକରେ ସର୍ବାଧିକ ୪୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହା ପରେ ଲଖନପୁର ବ୍ଲକରେ ୩୧.୮ ମିଲିମିଟର, ଲାଇକେରା ବ୍ଲକରେ ୩୧.୦ ମିଲିମିଟର, କିର୍ମିରା ବ୍ଲକରେ ୨୪.୨ ମିଲିମିଟର ଏବଂ ଝାରସୁଗୁଡ଼ା ସଦର ଅଞ୍ଚଳରେ ୨୧.୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
ଲଗାତାର ବର୍ଷା ଯୋଗୁଁ ଧାନ ଚାଷ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଆଶାର ସଞ୍ଚାର ହୋଇଛି। ଅନ୍ୟପକ୍ଷରେ, ସହରାଞ୍ଚଳର କେତେକ ନିମ୍ନାଞ୍ଚଳରେ ବର୍ଷାଜଳ ଜମିବାର ସମସ୍ୟା ଦେଖାଦେଇଥିଲେ ମଧ୍ୟ କୌଣସି ବଡ଼ ଧରଣର କ୍ଷୟକ୍ଷତିର ଖବର ମିଳିନାହିଁ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ କିଛି ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିପାରେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ