


ସମ୍ବଲପୁର, ୨୩, ଜୁଲାଇ (ହି.ସ.)ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବଞ୍ଜାଗୋଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଗୁରୁବାର ସକାଳେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି।
ସୂଚନାନୁଯାୟୀ, ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ବେଳେ ଏଠାରେ ମୋଟ ୫ ଜଣ ଶିକ୍ଷକ କାର୍ଯ୍ୟରତ ରହିଛନ୍ତି। ମାତ୍ର ହଠାତ୍ ସ୍କୁଲରୁ ଜଣେ ଶିକ୍ଷକଙ୍କ ବଦଳି ହୋଇଯିବାରୁ ବିଦ୍ୟାଳୟରେ ଘୋର ଶିକ୍ଷକ ଅଭାବ ସୃଷ୍ଟି ହୋଇଛି। ଏହାକୁ ନେଇ ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବଦଳି ଆଦେଶକୁ ତୁରନ୍ତ ବାତିଲ କରିବା କିମ୍ବା ତୁରନ୍ତ ଅନ୍ୟ ଜଣେ ଶିକ୍ଷକଙ୍କୁ ଏଠାରେ ନିଯୁକ୍ତି କରିବା ପାଇଁ ଦାବି ଉଠାଇଛନ୍ତି।
ଆନ୍ଦୋଳନର ଖବର ପାଇ ନାକଟିଦେଉଳ ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଜୟ ପାତ୍ର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ଶୀଘ୍ର ଜଣେ ଶିକ୍ଷକ ଏହି ସ୍କୁଲରେ ଯୋଗଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ