
କେନ୍ଦୁଝର, 23 ଜୁଲାଇ (ହି.ସ.) - ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ଭୋଟର ତାଲିକା ପର୍ଯ୍ୟବେକ୍ଷକ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର,ଆଇଏସ, କେନ୍ଦୁଝର ଜିଲ୍ଲା ଗସ୍ତ କରି ଚାଲୁରହିଥିବା ସ୍ୱତନ୍ତ୍ର ଗହନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମର ବ୍ୟାପକ ସମୀକ୍ଷା କରିଛନ୍ତି।
ଏହି ଗସ୍ତ ସମୟରେ ଜିଲ୍ଲାପାଳ ଏବଂ ଉଭୟ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଙ୍କ ଉପସ୍ଥିତିରେ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିସହ ଆରଡିସି କେନ୍ଦୁଝର ବ୍ଲକ କାର୍ଯ୍ୟାଳୟ ପରିଦର୍ଶନ କରି 'ସିର' ( କାର୍ଯ୍ୟକାରିତାର ସାମ୍ପ୍ରତିକ ଅଗ୍ରଗତିର ସରଜମିନ ତଦାରଖ କରିଥିଲେ।
ବର୍ତ୍ତମାନ ସୁଦ୍ଧା ପ୍ରକାଶିତ ଚିଠା ଭୋଟର ତାଲିକାର ସ୍ଥିତି, ନୂତନ ଭୋଟରଙ୍କ ନାମ ଯୋଡ଼ିବା ଏବଂ ତଥ୍ୟର ଡିଜିଟାଇଜେସନ ପ୍ରକ୍ରିୟାର ସମୀକ୍ଷା କରାଯାଇଥିଲା। ୧୮ ବର୍ଷ କିମ୍ବା ତା'ରୁ ଊର୍ଦ୍ଧ୍ୱ ଯୋଗ୍ୟ ନାଗରିକଙ୍କୁ ନୂଆ ଭୋଟର ଭାବେ ଯୋଡ଼ିବା, ମୃତ, ସ୍ଥାନାନ୍ତରିତ କିମ୍ବା ଡୁପ୍ଲିକେଟ (ଦୋହରା) ଭୋଟରଙ୍କ ନାମ ତାଲିକାରୁ ହଟାଇବା ଏବଂ ନାମ, ବୟସ, ଠିକଣା କିମ୍ବା ଫଟୋ ସଂଶୋଧନ ପାଇଁ ଆସିଥିବା ଆବେଦନଗୁଡ଼ିକର କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା।ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଠାରୁ ମତାମତ ଓ ଅଭିଯୋଗ ଗ୍ରହଣ କରାଯାଇଥିଲା। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ଓ ବୁଥ୍ରେ ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରି ଭୋଟର ତାଲିକାକୁ ଅଧିକ ନିର୍ଭୁଲ କରିବାରେ ସହଯୋଗ କରିବାକୁ ଆରଡିସି ପରାମର୍ଶ ଦେଇଥିଲେ। ଜିଲ୍ଲାର କୌଣସି ବି ଯୋଗ୍ୟ ନାଗରିକ—ବିଶେଷ କରି ଯୁବ ଭୋଟର, ମହିଳା ଏବଂ ଭିନ୍ନକ୍ଷମ ଯେପରି ଭୋଟର ତାଲିକାରୁ ବାଦ୍ ନପଡ଼ନ୍ତି, ସେଥିପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିରପେକ୍ଷତା ରକ୍ଷା କରି ଏକ ଭୁଲମୁକ୍ତ ଭୋଟର ତାଲିକା ଚୂଡ଼ାନ୍ତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଏହି ସମୀକ୍ଷା ଶିବିରରେ କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂହ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, କେନ୍ଦୁଝର ଉପଜିଲ୍ଲାପାଳ ଉମାଶଙ୍କର ଦଲାଇ, ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ସାହୁଙ୍କ ସମେତ ପଞ୍ଜିକରଣ ଅଧିକାରୀ,ସହରୀପଞ୍ଜିକରଣ ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ବୁଥ୍ ସ୍ତରୀୟ ଅଧିକାରୀ(ଵିଏଲଓ), ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA