
ମାଲକାନଗିରି, ୨୩ ଜୁଲାଇ (ହି.ସ.)- ଦୋଷ କାହାର, ଭୋଗୁଛି କିଏ ? ପ୍ରକୃତ ଅପରାଧୀଙ୍କ ବଦଳରେ ନିରୀହ ଯୁବକଙ୍କୁ ଟେକି ନେଲା ତେଲଙ୍ଗାନା ପୁଲିସ । ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ ।
ଗତ ଫେବ୍ରୁଆରି ୨୬ ତାରିଖରେ ତେଲଙ୍ଗାନା ରାଜ୍ୟ ଭଦ୍ରାଦି କତାଗୁଡେମ ଜିଲ୍ଲା ଅନ୍ତର୍ଗତ ଛୁଞ୍ଚୁପାଲି ଥାନାର ଏକ ଗଂଜେଇ ଚାଲାଣ ମାମଲାରେ ମାଲକାନଗିରି ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁମନ ସରକାରଙ୍କୁ ଉଠାଇ ନେଲା ତେଲଙ୍ଗାନା ପୁଲିସ । ଗତ ୧୮ ତାରିଖ ରାତି ଅଧିଆ ଛୁଞ୍ଚୁପାଲି ଥାନାର ଜଣେ ସବ-ଇନ୍ସପେକ୍ଟରଙ୍କ ନେତୃତ୍ବରେ ଏକ ଟିମ୍ ଆସି କାମବେଡ଼ା ପଂଚାୟତ ଅନ୍ତର୍ଗତ ଏମଭି-୨୯ ଗାଁ ର ସୁମନକୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ସାଧନ ସରକାର ବଦଳରେ ଗିରଫ ହେଲେ ସୁମନ ସରକାର । ଏମଭି-୨୯ ଓ ଏମପିଭି-୨୯ ଗାଁ କୁ ନେଇ ଦ୍ବନ୍ଦ ହୋଇଥିବା ଅଭିଯୋଗ ହୋଇଛି । ଥାନାର ଏଫଆଇଆର ସଂଖ୍ୟା ୨୦/୨୬ ଅନୁଯାୟୀ ଏକ ଟ୍ରକରୁ ୪୦୮ କିଲୋ ଗଂଜେଇ ଜବତ ହୋଇଥିଲା । ଟ୍ରକ ସହ ୪ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ତେବେ ସାଧନ ସରକାରଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ଠାରୁ ଗଂଜେଇ କ୍ରୟ କରାଯାଇଥିବା ଏହି ମାମଲାରେ ଦର୍ଶାଯାଇଛି। ମାମଲାରେ ସୁମନ ସରକାରଙ୍କର କୌଣସି ସ୍ଥାନରେ ନାଁ ନ ଥାଇ କେଉଁ ଆଧାରରେ ପୁଲିସ ଏମଭି ୨୯ ଗାଁର ସୁମନ ସରକାରଙ୍କୁ ଗିରଫ କରିଛି, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ। ତେବେ ଏମପିଭି ୨୯ ଗାଁରେ ସାଧନ ବଦଳରେ ଏମଭି ୨୯ ଗାଁର ସୁମନକୁ ଗିରଫ କରାଯାଇଥିବା ଅଭିଯୋଗ କରି ନ୍ୟାୟ ପାଇଁ ପରିବାର ଲୋକେ ମାଲକାନଗିରି ଏସପିଙ୍କୁ ଭେଟିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ