
କେନ୍ଦ୍ରାପଡ଼ା , 23 ଜୁଲାଇ (ହି.ସ.) ପବିତ୍ର ଘୋଷ ଯାତ୍ରାର ଅନ୍ତିମ ପର୍ଯ୍ୟାୟ ବାହୁଡା ଦଶମୀ ତିଥିର ପୂର୍ବ ସଂନ୍ଧ୍ୟା ଦର୍ଶନ ପାଇଁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ତୁଳସୀ କ୍ଷେତ୍ର ମାଉସ ମା ମନ୍ଦିର ପ୍ରାଙ୍ଗଣରେ ବିପୁଳ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାବେଶ ଦେଖିବାକୁ ମିଳିଛି । ଆସନ୍ତାକାଲି ବାହୁଡା ଦଶମୀ ତିଥିରେ ବ୍ରହ୍ମ ତାଳଧ୍ୱଜ ରଥର ପ୍ରତ୍ୟାବର୍ତନ ପାଇଁ ତୁଳସୀ କ୍ଷେତ୍ରର ପରମ୍ପରା ଅନୁଯାଇ ରଥ ଦକ୍ଷିଣ ମୋଡ ହେବା ସହ ଦିଅଁ ମାନଙ୍କ ପହଣ୍ଡି ବିଜେ ରଥ ଉପରକୁ କରାଯିବ । ଆଜି ନବମୀ ତିଥିରେ ମାଉସୀ ମା’ ମନ୍ଦିରର ରତ୍ନ ସିଂହାସନ ଉପରେ ଦଅଁ ମାନଙ୍କୁ ଦର୍ଶନ କରିବା ଓ ସଂନ୍ଧ୍ୟା ଆଳତୀ ଦର୍ଶନ ପାଇଁ ବିପୁଳ ସମାଗମ ହୋଇଯାଇଛି । ଦିନ ସାରା ଭକ୍ତ ମାନଙ୍କ ସୁଅ ଇଛାପୁର ବଡ ଦାଣ୍ଡରେ ମାଉସୀ ମା ମନ୍ଦିର ଆଡକୁ ମୁହାଁଇଛି । ଆଜିର ଏହି ଶେଷ ଦର୍ଶନରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କକରି ଭାବ ବିନିମୟ କରିବା ଉଦ୍ଦେଶ୍ୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତ ମାନଙ୍କର ସୁଅ ଲାଗି ରହିଛି । ଏହି ଦର୍ଶନ ସହିତ ମାଉସୀ ମା’ ମନ୍ଦିରରେ ପ୍ରସାଦ ସେବନ କରି ଶ୍ରଦ୍ଧାଳୁ ମାନେ ନିଜକୁ କୃତାର୍ଥ ମାନେ କରୁଛନ୍ତି । ଆଜି ସକାଳୁ ଦିଅଁ ମାନଙ୍କର ନିତ୍ୟ ନୈମିତିକ ସେବା ପୂଜା ସହ ସଂନ୍ଧ୍ୟା ଆଳତୀ ବିଶେଷ ଉପଭୋଗ୍ୟ ଓ ଭକ୍ତ ମାନଙ୍କୁ ଆନ୍ଦୋଳିତ କରିଥାଏ । ଭକ୍ତ ସମାଗମ ର ବହୁଳତାକୁ ଶାନ୍ତି ଶୃଙ୍ଖଳାର ସହିତ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକ ମାନଙ୍କରେ ପୋଲିସ ମୁତୟନ କରିବା ସହ ରଥଦାଣ୍ଡ ଓ ମାଉସୀ ମା ମନ୍ଦିର ପରିସରରେ ପୋଲିସ ବାହିନୀ ମୁତୟନ ରହି ସୁରୁଖୁରୁରେ ଦର୍ଶନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥିଲେ । ଆସନ୍ତା କାଲି ଦିନ ୨ଟା ବେଳେ ରଥର ପାଶ୍ୱର୍ ପରବର୍ତନ କରାଯାଇ ମୁଖ୍ୟ ମନ୍ଦିର ମୁହଁ ରଖାଯିବା ପରେ ଦିଅଁ ମାନଙ୍କର ପହଣ୍ଡି ବିଜେ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସୂଚନା ମିଳିଛି । ପାଗ ଅନୁକୂଳ ଥିବାରୁ ରଥଦାଣ୍ଡ ଲୋକାରଣ୍ୟ ହେବା ସହ ଦୁଇ ପାଶ୍ୱର୍ରେ ପଡିଥିବା ବିଭିନ୍ନ ଦୋକାନ ମାନଙ୍କରେ ବ୍ୟବସାୟ ବାଣିଜ୍ୟ ଭାବରେ ହୋଇଥିବା ଦେଖିବାକୁ ମିଳୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ରବି