୫୫୮ କୋଟିର ମେଗା ପାନୀୟ ଜଳ ପ୍ରକଳ୍ପ ଅଧାରେ, ୯୦ ପ୍ରତିଶତ ଅର୍ଥ ପୈଠ ପରେ ବି ଶୁଦ୍ଧ ପାଣିରୁ ବଞ୍ଚିତ ହଜାର ହଜାର ଲୋକ
Water sanitation is still incomplete
Water sanitation


ଝାରସୁଗୁଡ଼ା, ୨୩ ଜୁଲାଇ (ହି.ସ.)- ରାଜ୍ୟ ସରକାରଙ୍କ ଗ୍ରାମାଞ୍ଚଳରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ଆରମ୍ଭ ହୋଇଥିବା ୫୫୮ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନଥିବାରୁ ହଜାର ହଜାର ଗ୍ରାମବାସୀ ଶୁଦ୍ଧ ପାନୀୟ ଜଳ ସୁବିଧାରୁ ବଞ୍ଚିତ ରହିଛନ୍ତି। ଅଧିକାରୀଙ୍କ ଉଦାସୀନତା ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟଶୈଳୀକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ୁଛି। ଜିଲ୍ଲାର କୋଲାବିରା, କିର୍ମିରା, ଲଇକେରା, ଲଖନପୁର ଏବଂ ସଦର ବ୍ଲକର ୪୨ଟି ଗ୍ରାମ ପଞ୍ଚାୟତକୁ ଏହି ପ୍ରକଳ୍ପ ଅଧୀନରେ ଆଣାଯାଇଛି। ପ୍ରକଳ୍ପ ପାଇଁ ମୋଟ ୫୫୮ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୩୪୦ କୋଟି, ଦ୍ୱିତୀୟ ପର୍ଯ୍ୟାୟରେ ୧୦୮.୯ କୋଟି ଏବଂ ତୃତୀୟ ପର୍ଯ୍ୟାୟରେ ୧୦୯.୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା।

ଅଭିଯୋଗ ଅନୁଯାୟୀ, ଠିକାଦାରମାନଙ୍କୁ ପ୍ରକଳ୍ପର ମୋଟ ଅର୍ଥର ୯୦ ପ୍ରତିଶତରୁ ଅଧିକ ପୈଠ କରାଯାଇଥିଲେ ମଧ୍ୟ ପ୍ରାୟ ୪୦ ପ୍ରତିଶତ କାର୍ଯ୍ୟ ଏପର୍ଯ୍ୟନ୍ତ ବାକି ରହିଛି। ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୧୪୨ଟି ଗ୍ରାମରେ ପାଇପ୍ ସଂଯୋଗ କାମ ସରିଥିବାବେଳେ ମାତ୍ର ୬୭ଟି ଗ୍ରାମକୁ ନିୟମିତ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇଛି। ସଦର ବ୍ଲକର ୧୬ଟି, କିର୍ମିରାର ୮ଟି, କୋଲାବିରାର ୪ଟି ଏବଂ ଲଇକେରା ବ୍ଲକର ଅଧିକାଂଶ ଗ୍ରାମକୁ ଏପର୍ଯ୍ୟନ୍ତ ପାନୀୟ ଜଳ ପହଞ୍ଚିପାରିନାହିଁ।ସେହିପରି ଲଖନପୁର ବ୍ଲକର ୧୭ଟି ପଞ୍ଚାୟତରେ ପ୍ରକଳ୍ପ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିବାରୁ ଲୋକମାନେ ବିକଳ୍ପ ଭାବେ ୨୦ଟି ଟ୍ୟୁବୱେଲ ଉପରେ ନିର୍ଭର କରୁଛନ୍ତି। ପିଏଚଡି ଓ ପିଡବ୍ଲ୍ୟୁଡି ରାସ୍ତା କାମକୁ ଦର୍ଶାଇ ଠିକାଦାରମାନେ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ କରୁଥିବା ଅଭିଯୋଗ ହେଉଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ପ୍ରଥମେ ଏପ୍ରିଲ ଏବଂ ପରେ ଜୁନ୍ ଶେଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବିଳମ୍ବ ପାଇଁ ଜରିମାନା ଆଦାୟ ସହ ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ିନାହିଁ। ଜିଲ୍ଲାପାଳ କୁଣାଳ ମୋତିରାମ ଚଭାଣ ବାରମ୍ବାର ସମୀକ୍ଷା ବୈଠକ କରି ବିଭାଗୀୟ ଅଧିକାରୀ ଓ ଠିକାଦାରମାନଙ୍କୁ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଖିଦୃଶିଆ ସୁଧାର ଆସିନାହିଁ।

ଏପଟେ ବର୍ଷା ଋତୁ ଆରମ୍ଭ ହୋଇ ସବୁଆଡ଼େ ପାଣି ଜମି ରହିଥିବାରୁ ଚଳିତ ବର୍ଷ ମଧ୍ୟ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେବ କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଜିଲ୍ଲା ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

ଏ ସମ୍ପର୍କରେ ଆରଡବ୍ଲ୍ୟୁଏସଏସ୍ ର ଅଧିକ୍ଷଣ ଯନ୍ତ୍ରୀ ଜ୍ୟୋତ୍ସ୍ନାମୟୀ ମାରାଣ୍ଡିଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଯୋଗାଯୋଗର ପ୍ରୟାସ କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande