
ମାଲକାନଗିରି, ୨୩ ଜୁଲାଇ (ହି.ସ.)-
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ରାଲେଗାଡା ପଞ୍ଚାୟତରେ ନେଟୱାର୍କ ସମସ୍ୟା ଏବେ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ପଞ୍ଚାୟତରେ ବିଏସଏନଏଲ ଓ ଜିଓ ଟାୱାର ଥିଲେ ମଧ୍ୟ ସେଗୁଡ଼ିକ କାର୍ଯ୍ୟକ୍ଷମ ନଥିବାରୁ ପ୍ରାୟ ୩ ହଜାରରୁ ଅଧିକ ଲୋକ ଯୋଗାଯୋଗ ବିଚ୍ଛିନ୍ନ ଜୀବନ ବିତାଉଛନ୍ତି। ଫଳରେ ଜରୁରୀ ସେବାଠାରୁ ଆରମ୍ଭ କରି ଶିକ୍ଷା ଓ ସରକାରୀ ଯୋଜନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେମାନେ ଅସୁବିଧା ଭୋଗୁଛନ୍ତି।
ନେଟୱାର୍କ ନଥିବାରୁ ଜରୁରୀ ସମୟରେ ଆମ୍ବୁଲାନ୍ସକୁ ଫୋନ୍ କରିବା ସମ୍ଭବ ହେଉନାହିଁ। ଅନଲାଇନ୍ ପାଠପଢ଼ାରୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଥିବା ବେଳେ ପୋଷଣ ଯୋଜନାରେ କୁନି ଶିଶୁ ଓ ଗର୍ଭବତୀ ମହିଳାଙ୍କ ତଥ୍ୟ ଅପଲୋଡ୍ କରିବାରେ ମଧ୍ୟ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନେଟୱାର୍କ ପାଇବା ପାଇଁ ଗ୍ରାମବାସୀମାନେ ପାହାଡ଼ ଉପରକୁ ଯିବା ସହ ଉଚ୍ଚ ସ୍ଥାନରେ ଅସ୍ଥାୟୀ ମଞ୍ଚ ବାନ୍ଧି ଫୋନ୍ କରୁଛନ୍ତି। ଡିଜିଟାଲ୍ ଯୁଗରେ ମଧ୍ୟ ଏଭଳି ପରିସ୍ଥିତି ଲୋକଙ୍କ ଦୈନନ୍ଦିନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।
ଏହି ସମସ୍ୟାକୁ ନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଖୁବ୍ ଶୀଘ୍ର ଟାୱାରକୁ ସଂଯୋଗ ପ୍ରଦାନ କରାଯିବ। ଏହା ପରେ ରାଲେଗାଡା ପଞ୍ଚାୟତରେ ନେଟୱାର୍କ ସେବା ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି। ତେବେ ଦୀର୍ଘ ଦିନର ନେଟୱାର୍କ ସମସ୍ୟା କେବେ ଦୂର ହେବ, ତାହାକୁ ନେଇ ଏବେ ରାଲେଗାଡା ପଞ୍ଚାୟତର ହଜାର ହଜାର ଲୋକଙ୍କ ନଜର ପ୍ରଶାସନ ଉପରେ ରହିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ