
ଭୁବନେଶ୍ୱର,୨୪ ଜୁଲାଇ (ହି.ସ)- ସୁରକ୍ଷିତ, ନିରାପଦ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ରେଳ ଚଳାଚଳ ସୁନିଶ୍ଚିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇ, ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ ଚାଲୁରହିଥିବା ରଥଯାତ୍ରା ଉତ୍ସବ ସମୟରେ ପୁରୀ ରେଳଷ୍ଟେସନରେ ଏହାର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ)-ସଂଚାଳିତ ରୋବୋଟିକ୍ ସୁରକ୍ଷା ପ୍ଲାଟଫର୍ମ “ଡିଏସ୍ସି ଅର୍ଜୁନ ମୁତୟନ କରିଛି।
ବାହୁଡ଼ା ଯାତ୍ରା, ଏହା ପରେ ପବିତ୍ର ସୁନାବେଶ ଓ ଅଧରପଣା ନୀତି ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଅଭୂତପୂର୍ବ ଭିଡ଼ ପୁରୀ ରେଳଷ୍ଟେସନରେ ଦେଖିବାକୁ ମିଳୁଛି। ଏହି ଅତ୍ୟାଧିକ ଭିଡ଼ ସମୟରେ ଯାତ୍ରୀ ସୁରକ୍ଷା, ଷ୍ଟେସନ ନିରାପତା ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ, ଷ୍ଟେସନ ପରିସର ଉପରେ ନଜର ରଖିବା ଏବଂ ତୀର୍ଥଯାତ୍ରୀଙ୍କ ମଧ୍ୟରେ ସୁରକ୍ଷା ସଚେତନତା ସୃଷ୍ଟି କରିବାରେ ରେଳ ସୁରକ୍ଷା ବଳ କର୍ମଚାରୀଙ୍କୁ ସହାୟତା କରିବା ପାଇଁ “ଡିଏସ୍ସି ଅର୍ଜୁନ” କୁ ମୁତୟନ କରାଯାଇଛି।
ଏହି ଏଆଇ-ସଂଚାଳିତ ରୋବୋର୍ଟ ରେଳ ପ୍ଲାଟଫର୍ମ, ସର୍କୁଲେଟିଂ ଏରିଆ, ୱେଟିଂ ହଲ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଯାତ୍ରୀ ଚଳାଚଳ ସ୍ଥାନରେ ନିରନ୍ତର ନିରୀକ୍ଷଣ କରିବା ସହିତ ଏହାର ସଂଯୋଜିତ ସାର୍ବଜନୀନ ସୂଚନା ପ୍ରଣାଳୀ (ପବ୍ଲିକ୍ ଆନାଉନ୍ସମେଂଟ ସିଷ୍ଟମ୍) ମାଧ୍ୟମରେ ଯାତ୍ରୀମାନଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବାର୍ତା ପ୍ରସାରିତ କରୁଛି। ଯାତ୍ରୀମାନଙ୍କୁ ନିରାପଦ ଭାବେ ଟ୍ରେନରେ ଚଢ଼ିବା ଓ ଓହ୍ଲାଇବା, ନିଜ ସାମଗ୍ରୀ ପ୍ରତି ସତର୍କ ରହିବା, ଅନାଧିକାର ପ୍ରବେଶ ଓ ଅସୁରକ୍ଷିତ କାର୍ଯ୍ୟକଳାପରୁ ନିବୃତ ରହିବା, ଶୃଙ୍ଖଳିତ ଯାତାୟାତ ଏବଂ ରେଳ ସୁରକ୍ଷା ନିୟମାବଳୀ ପାଳନ କରିବା ପାଇଁ ମାର୍ଗଦର୍ଶନ କରୁଛି। ଏହି ରିଅଲ୍-ଟାଇମ୍ ଘୋଷଣାଗୁଡ଼ିକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବାରେ ସାହାଯ୍ୟ କରିବା ସହ ରେଳ ସୁରକ୍ଷା ବଳକୁ ଏକ ନିରାପଦ ଓ ସୁରକ୍ଷିତ ପରିବେଶ ବଜାୟ ରଖିବାରେ ସହାୟତା କରୁଛି।
ଉନ୍ନତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, କମ୍ପ୍ୟୁଟର ଭିଜନ୍, ମେସିନ୍ ଲର୍ନିଂ ଏବଂ ଇଂଟରନେଟ୍ ଅଫ୍ ଥିଙ୍ଗସ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ, “ଡିଏସ୍ସି ଅର୍ଜୁନ” ରେଳ ସୁରକ୍ଷା ବଳ ପାଇଁ ଏକ ଶକ୍ତି ବର୍ଦ୍ଧକ (ଫୋର୍ସ ମଲ୍ଟିପ୍ଲାୟ)ର୍ ଭାବରେ କାର୍ଯ୍ୟ କରୁଛି। ଏହାର ଉନ୍ନତ କ୍ଷମତା ଗୁଡିକ ମଧ୍ୟରେ ଏଆଇ-ଆଧାରିତ ଚେହେରା ଚିହ୍ନଟ (ଫେସିଆଲ୍ ରେକଗନିସନ୍), ରିଅଲ୍-ଟାଇମ୍ ଭିଡ଼ ବିଶ୍ଲେଷଣ, ଯାତ୍ରୀ ଗଣନା, ଦାବିଦାର ନଥିବା ଲାଗେଜ୍ ଚିହ୍ନଟ, ସନ୍ଦେହଜନକ କାର୍ଯ୍ୟକଳାପ ଚିହ୍ନଟ, ଲାଇଭ୍ ଭିଡିଓ ଷ୍ଟ୍ରିମିଂ, ସାର୍ବଜନୀନ ସୂଚନା ଘୋଷଣା ଏବଂ ତତ୍କ୍ଷଣାତ୍ ସତର୍କ ସୂଚନା ପ୍ରଦାନ ଆଦି ଅନ୍ତର୍ଭୁକ୍ତ। ଏହି ସବୁ ବୈଶିଷ୍ଟ୍ୟ ପରିସ୍ଥିତିଗତ ସଚେତନତା ବୃଦ୍ଧି କରିବା, ଦ୍ରୁତ ନିଷ୍ପତି ଗ୍ରହଣରେ ସହାୟତା କରିବା ଏବଂ ପ୍ରତିଷେଧମୂଳକ ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ରେଳ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା