
ଭୁବନେଶ୍ବର , 24 ଜୁଲାଇ (ହି.ସ.) -ଦେଶ ତଥା ରାଜ୍ୟ ତମାମ ଶିକ୍ଷା, ଆଇନଶୃଙ୍ଖଳା, ଦରଦାମ୍ ବୃଦ୍ଧି, ଭିଡ଼ ହତ୍ୟା, ଆନେ୍ଦାଳନରତ ଛାତ୍ରଛାତ୍ରୀ ହତ୍ୟାକୁ ଦାୟୀ କରି ଭାରତୀୟ କ୍ଷେତମଜଦୁର ୟୁନିୟନ ରାଜ୍ୟ ପରିଷଦ ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ ସହ ତୁରନ୍ତ ଏସବୁର ସମାଧାନ ପାଇଁ ବିକେଏମ୍ୟୁ ରାଜ୍ୟ ସମ୍ପାଦକ ସୁୁର ଜେନା ଦାବି କରିଛନ୍ତି ।
ଗତ କିଛି ମାସ ହେବ ନିଟ୍ ପ୍ରଶ୍ନପତ୍ର ପ୍ରଘଟ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଓ ଛାତ୍ର ଆନେ୍ଦାଳନକୁ ଅଣଦେଖା କରିବା ଫଳରେ ଛାତ୍ର ମୃତୁ୍ୟ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହତାଶାବୋଧ ଦେଖାଦେଇଛି । ଜୁଲାଇ ୨୦ ତାରିଖଠାରୁ ନିରୀହ ଛାତ୍ରଛାତ୍ରୀମାନେ ଯନ୍ତରମନ୍ତରଠାରେ ଶାନ୍ତିପୂର୍ଣ୍ଣ ଆନେ୍ଦାଳନକୁ ସରକାର, ପୋଲିସ, ଆରଏସଏସ୍ ଭଳି ଗୁଣ୍ଡାମାନେ ଯେଉଁ ଆତଙ୍କରାଜ, ଦମନଲୀଳା, ଅଶ୍ଳୀଳ ବ୍ୟବହାର କଲେ ତାହା ବୁଦ୍ଧିଜୀବୀ ସମାଜରେ ଓ ଦେଶବିଦେଶରେ ମୁଣ୍ଡ ନଇଁଯାଉଛିି । ତୁରନ୍ତ କେନ୍ଦ୍ର ସରକାର ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ୧ କୋଟି ଟଙ୍କା ପ୍ରଦାନ ଓ ଆହତ ଛାତ୍ରଙ୍କୁ ମାଗଣା ଚିକିତ୍ସା କରିବା ଏବଂ ଦଣ୍ଡ ଭିଆଇଥିବା ପୋଲିସ ଗୁଣ୍ଡାଙ୍କୁ ଦଣ୍ଡବିଧାନ କରିବାକୁ ଦାବି କରିଥିଲେ । ସେହିପରି ଓଡ଼ିଶା ରାଜ୍ୟ ସରକାର ନିଜର ପ୍ରେସ୍ରେ ଛୋଟ ପିଲାଙ୍କ ବହି ନ ଛପାଇ ଗୁଜରାଟରେ ବହି ଛପାଇ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ଭୁଲ ତ୍ରୁଟି ବହିକୁ ପିଲାଙ୍କୁ ବଣ୍ଟନ କଲାପରେ ସାରା ରାଜ୍ୟରେ ଯେଉଁ ଆନେ୍ଦାଳନ ପ୍ରତିବାଦ ହେଲା ତାହାକୁ ଭ୍ରୂକ୍ଷେପ ନ କରି, ନୂଆ ବହି ନ ଛପାଇ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଇ ଏବେ ରାଜକୋଷରୁ ଟଙ୍କା ଖର୍ଚ୍ଚ କରି ଲକ୍ଷ୍ମୀପୁରାଣ ଛପାଇ ବାଣ୍ଟିବା ଏଭଳି ଲଜ୍ଜା, ବିବେକହୀନ କାମ ପାଇଁ ସରକାର ତିଳେମାତ୍ର ଅନୁତାପ ନ କରି ପ୍ରଚାର ସର୍ବସ୍ୱରେ ଲାଗିପଡ଼ିଛନ୍ତି । ତେଲ, ସାରଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଯେଉଁଭଳି ଭାବେ ଦରଦାମ୍ ବଢ଼ି ଚାଲିଛି, ମଧ୍ୟବିତ୍ତଙ୍କଠାରୁ ଗରିବ ପର୍ଯ୍ୟନ୍ତ ଏହାର ଶିକାର ହେଉଛନ୍ତି । ଏଣୁ ରାଜ୍ୟ ସରକାର ତୁରନ୍ତ ପିଲାମାନଙ୍କର ନୂତନ ବହି ଛାପିବା ସହ ପୁନଃ ବଣ୍ଟନ, ଦରଦାମ୍ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ସଜାଡ଼ିବା, ଭିଡ଼ହିଂସାକୁ ରୋକିବା ଭଳି ପଦକ୍ଷେପ ନ ନିଅନ୍ତି ଆସନ୍ତାଦିନରେ ବିକେଏମ୍ୟୁ ସମଗ୍ର ରାଜ୍ୟରେ ପଦଯାତ୍ରା ଓ ବିକ୍ଷୋଭ ସହ ରାଜରାସ୍ତାକୁ ଓହ୍ଲାଇବ ବୋଲି ସୁର ଜେନା ଏକ ପ୍ରେସ୍ ବିବୃତିରେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା