ବିଶ୍ୱର ସର୍ବବୃହତ ରଥରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଶେଷ
କେନ୍ଦୁଝର, ୨୪ ଜୁଲାଇ(ହି.ସ.) – ଆଜି ବିଶ୍ୱର ସର୍ବବୃହତ ରଥରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା। କେନ୍ଦୁଝରର ପୁରୁଣା ସହରରେ ଭକ୍ତି ଓ ଉତ୍ସାହର ମାହୋଲ। ଗୁଣ୍ଡିଚା ମନ୍ଦିରରୁ ରଥାରୂଢ଼ ହୋଇ ଫେରିଛନ୍ତି ଶ୍ରୀଶ୍ରୀ ବଳଦେବଜୀଉ, ମା’ ସୁଭଦ୍ରା ଓ ଜଗତର ନାଥ ଶ୍ରୀଜଗନ୍ନାଥ। ମେଘୁଆ ପାଗ ସାଙ୍ଗକୁ ମଝିରେ ମଝିରେ
Bahuda jatra


କେନ୍ଦୁଝର, ୨୪ ଜୁଲାଇ(ହି.ସ.) – ଆଜି ବିଶ୍ୱର ସର୍ବବୃହତ ରଥରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା। କେନ୍ଦୁଝରର ପୁରୁଣା ସହରରେ ଭକ୍ତି ଓ ଉତ୍ସାହର ମାହୋଲ। ଗୁଣ୍ଡିଚା ମନ୍ଦିରରୁ ରଥାରୂଢ଼ ହୋଇ ଫେରିଛନ୍ତି ଶ୍ରୀଶ୍ରୀ ବଳଦେବଜୀଉ, ମା’ ସୁଭଦ୍ରା ଓ ଜଗତର ନାଥ ଶ୍ରୀଜଗନ୍ନାଥ। ମେଘୁଆ ପାଗ ସାଙ୍ଗକୁ ମଝିରେ ମଝିରେ ଝିପିଝିପି ବର୍ଷା ସତ୍ୱେ ବିଶ୍ୱର ସର୍ବବୃହତ ରଥ ଟାଣିବା ପାଇଁ ବଡ଼ଦାଣ୍ଡରେ ଜମିଥିଲା ହଜାର ହଜାର ଭକ୍ତଙ୍କ ଭିଡ଼। ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ କେନ୍ଦୁଝରର ବଡ଼ଦାଣ୍ଡ।

ଗୁଣ୍ଡିଚା ମନ୍ଦିରରୁ ଗୋଟି ପହଣ୍ଡିରେ ତିନି ଠାକୁର ଆସି ରଥକୁ ତିନିଥର ପରିକ୍ରମା କରିବା ପରେ ଅପରାହ୍ନ ପ୍ରାୟ ୩ଟା ୩୦ ମିନିଟରେ ତିନି ଠାକୁର ରଥାରୂଢ଼ ହୋଇଥିଲେ। ପରମ୍ପରା ଅନୁଯାୟୀ ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ଛେରା ପହଁରା କରିଥିଲେ। ଏହାପରେ ଅପରାହ୍ନ ୫ଟାରେ ଆରମ୍ଭ ହୋଇଥିଲା ବିଶ୍ୱର ସର୍ବବୃହତ ରଥ ଟଣା। ହଜାର ହଜାର ଭକ୍ତ ଏକାଠି ହୋଇ ଟାଣିଥିଲେ ବିଶ୍ୱର ସର୍ବବୃହତ ରଥ ।ଭକ୍ତି, ଆସ୍ଥା ଓ ପରମ୍ପରାର ଏହି ଅଦ୍ଭୁତ ସମାଗମରେ ଉତ୍ସବମୁଖର ହୋଇଉଠିଥିଲା ସମଗ୍ର ବଡ଼ଦାଣ୍ଡ।

କେନ୍ଦୁଝର ରଥଯାତ୍ରାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି- ଏଠାରେ ବାହୁଡ଼ା ଯାତ୍ରା ପୂର୍ବରୁ ରଥକୁ ଦକ୍ଷିଣ ମୋଡ଼ କରାଯାଏ ନାହିଁ।

ବଦଳେ, ରଥ ଉପରେ ଥିବା ଠାକୁରଙ୍କ ଆସ୍ଥାନ ହିଁ ଉତର ଦିଗକୁ ମୋଡ଼ ନିଏ ଏବଂ ବାହୁଡ଼ା ଯାତ୍ରାରେ ତିନି ଠାକୁର ରଥାରୂଢ଼ ହୋଇ ଉତର ଦିଗରେ ଥିବା ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି। ଏହି ନିଆରା ପରମ୍ପରା ହିଁ କେନ୍ଦୁଝର ରଥଯାତ୍ରାକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ।

ବିଶ୍ୱର ସର୍ବବୃହତ ରଥ ହଜାର ହଜାର ଭକ୍ତଙ୍କ ଆସ୍ଥା। ଆଉ ଅନନ୍ୟ ପରମ୍ପରାର ଏହି ବାହୁଡ଼ା ଯାତ୍ରା। ଭକ୍ତି ଓ ଭାବାବେଗରେ ଆଜି ଉତ୍ସବମୁଖର ହୋଇଉଠିଛି କେନ୍ଦୁଝରର ବଡ଼ଦାଣ୍ଡ।

ଆସନ୍ତା କାଲି ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande