ପତ୍ରାପାଲିର ପ୍ରାକୃତିକ ଜଳସ୍ରୋତ ପରିଦର୍ଶନ କଲେ ଜିଲ୍ଲାପାଳ
Collector visit and review at patrapali
Patrapali


Patrapali


ଝାରସୁଗୁଡ଼ା, , 24 ଜୁଲାଇ (ହି.ସ.)ପତ୍ରାପାଲି ଗ୍ରାମ ଅନ୍ତର୍ଗତ ଏକନଗୁଡ଼ି ପ୍ରାକୃତିକ ଜଳସ୍ରୋତରେ ପ୍ରଦୂଷଣ ସମ୍ପର୍କିତ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଝାରସୁଗୁଡ଼ା ଜିଲ୍ଲାପାଳ କୁଣlଲ ମୋତିରାମ ଚହ୍ୱାଣ ଆଜି ସରଜମିନ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିଥିଲେ।

କଙ୍ଗଲା ମାଞ୍ଜୀ ଆଦିବାସୀ କଲ୍ୟାଣ ସମିତି ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ, ଏନ୍ଏଲ୍ସି ତଲବୀରା–୨ ଓ ୩ କୋଇଲା ଖଣିରୁ ନିର୍ଗତ କୋଇଲା ଗୁଣ୍ଡ ଓ ବର୍ଜ୍ୟବସ୍ତୁ ପ୍ରଭାବରେ ପତ୍ରାପାଲି ଗ୍ରାମର ଏକନଗୁଡ଼ି ପ୍ରାକୃତିକ ଜଳସ୍ରୋତ ପ୍ରଦୂଷିତ ହୋଇଥିବା ସହ ସ୍ଥାନୀୟ ଲୋକଙ୍କ ନିତ୍ୟ ବ୍ୟବହାର ଏବଂ ପାରମ୍ପରିକ ପୂଜାପାଠରେ ବ୍ୟବହୃତ ଜଳ ଅବ୍ୟବହାରଯୋଗ୍ୟ ହୋଇପଡ଼ିଛି। ଏହା ଫଳରେ ସ୍ଥାନୀୟ ବାସିନ୍ଦା ଓ ବନ୍ୟଜନ୍ତୁମାନଙ୍କ ପାଇଁ ମଧ୍ୟ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗରେ ଦର୍ଶାଯାଇଥିଲା।

ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ସମ୍ପୃକ୍ତ ସ୍ଥାନ ପରିଦର୍ଶନ କରି ଜଳସ୍ରୋତର ବର୍ତ୍ତମାନ ସ୍ଥିତି ନିରୀକ୍ଷଣ କରିଥିଲେ। ସେ ଜଳସ୍ରୋତର ତୁରନ୍ତ ସଫେଇ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସମ୍ପୃକ୍ତ କମ୍ପାନୀ ଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଘଟଣାର ସମସ୍ତ ଦିଗକୁ ଯାଞ୍ଚ କରି ପ୍ରଚଳିତ ନିୟମାନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଏବଂ ଦୀର୍ଘମିଆଦି ସମାଧାନ ପାଇଁ ପଦକ୍ଷେପ ନେବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜ଼ିଲ୍ଲାପାଳ ଶ୍ରୀ ଚହ୍ୱାଣ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ର ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ଉକ୍ତ ସ୍ଥାନର ବିକାଶ ପାଇଁ ସେମାନଙ୍କ ର ଯେଉଁ ଦାବି ଗୁଡିକ ରହିଛି ସେସବୁ ପୂରଣ ଦିଗରେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l

ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବେଶ ସୁରକ୍ଷା, ପ୍ରାକୃତିକ ଜଳସ୍ରୋତର ସଂରକ୍ଷଣ ଏବଂ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଥିବା ବେଳେ ଏହି ଘଟଣାର ନିୟମିତ ଅନୁଧ୍ୟାନ କରାଯିବ ବୋଲି ଜଣାପଡ଼ିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande