
ଝାରସୁଗୁଡ଼ା, ୨୪ ଜୁଲାଇ (ହି.ସ.)- ଝାରସୁଗୁଡ଼ା ରେଳଷ୍ଟେସନ ପରିସରରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ସମନ୍ୱୟ ସଭା ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ରେଳବାଇ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିନାମା ଅନୁଯାୟୀ ଜନଗହଳିପୂର୍ଣ୍ଣ ରେଳଷ୍ଟେସନଗୁଡ଼ିକରେ ଶିଶୁ ସହାୟତା ଡେସ୍କ (୧୦୯୮)ର କାର୍ଯ୍ୟକାରିତା ଏବଂ ଚାଇଲ୍ଡ ହେଲ୍ପ ଗ୍ରୁପ୍ର ସମନ୍ୱୟକୁ ସୁଦୃଢ଼ କରିବା ନେଇ ସଭାରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ସଭାରେ ସୂଚନା ଦିଆଯାଇଥିଲା ଯେ, ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଝାରସୁଗୁଡ଼ା ରେଳଷ୍ଟେସନରେ ୬ ନଭେମ୍ବର ୨୦୨୪ ଠାରୁ ଶିଶୁ ସହାୟତା ଡେସ୍କ (୧୦୯୮) ୨୪×୭ ଭିତ୍ତିରେ କାର୍ଯ୍ୟକ୍ଷମ ରହିଛି। ଏଥିରେ ୬ ଜଣ କର୍ମଚାରୀ ନିୟୋଜିତ ହୋଇ ରେଳଷ୍ଟେସନ ପରିସରରେ ବିପଦଗ୍ରସ୍ତ, ଅବହେଳିତ, ହଜିଯାଇଥିବା ଏବଂ ଚୋରା ଚାଲାଣର ଶିକାର ହେବାର ଆଶଙ୍କା ଥିବା ଶିଶୁମାନଙ୍କ ଚିହ୍ନଟ, ଉଦ୍ଧାର ଓ ସହାୟତା କାର୍ଯ୍ୟ କରୁଛନ୍ତି। ସଭାରେ ଟ୍ରେନ୍ କିମ୍ବା ରେଳଷ୍ଟେସନ ପରିସରରୁ ଉଦ୍ଧାର ହେଉଥିବା ଶିଶୁମାନଙ୍କୁ ତୁରନ୍ତ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତି କିମ୍ବା କିଶୋର ନ୍ୟାୟ ବୋର୍ଡ ନିକଟରେ ଉପସ୍ଥାପନ କରିବା ସହ ସେମାନଙ୍କ ପୁନର୍ବାସ ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାସହ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ହଜିଯାଇଥିବା ଶିଶୁଙ୍କ ମାମଲାକୁ ଅପରାଧ କିମ୍ବା ଚୋରା ଚାଲାଣ ସମ୍ଭାବ୍ୟ ଘଟଣା ଭାବେ ବିବେଚନା କରି ଏଫ୍ଆଇଆର୍ ରୁଜୁ କରିବା ଏବଂ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ପ୍ରଚଳିତ ନିୟମାବଳୀର କଡ଼ାକଡ଼ି ପାଳନ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସଞ୍ଜୁକ୍ତା ମହାପାତ୍ର, ଷ୍ଟେସନ ମ୍ୟାନେଜର ମନୋଜ କୁମାର ବେହୁରା, ମୁଖ୍ୟ ବାଣିଜ୍ୟିକ ଇନ୍ସପେକ୍ଟର ଚନ୍ଦନ କୁମାର ମିଶ୍ର, ଜିଆରପିର ସବ୍-ଇନ୍ସପେକ୍ଟର ମୁକେଶ କୁମାର ବର୍ଣ୍ଣୱାଲ, ଆରପିଏଫ୍ର ସବ୍-ଇନ୍ସପେକ୍ଟର ଡି. କୁମାର, ଉଦ୍ଧବ ଚନ୍ଦ୍ର ଖମାରୀ, ଚାଇଲ୍ଡ ହେଲ୍ପଲାଇନ୍ର କୋଅର୍ଡିନେଟର ବିପୁଳ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଶିଶୁ ସହାୟତା ଡେସ୍କର ସଦସ୍ୟା ଝରଣା ପଟ୍ଟନାୟକ, ମନୋଜ ସାହୁ, ପୂର୍ଣ୍ଣଚନ୍ଦ୍ର ରଣା, ବାପି ମଲ୍ଲିକ, ମମତା ମଲ୍ଲିକ, ଗୁଲସନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ