ସରକାରୀ କାମ ଆଳରେ ବେଆଇନ ମାଟି ଖନନ, ବଢ଼ୁଛି ରାଜସ୍ୱ କ୍ଷତି
Illegal excavation in Jharsuguda
ସରକାରୀ କାମ ଆଳରେ ବେଆଇନ ମାଟି ଖନନ, ବଢ଼ୁଛି ରାଜସ୍ୱ କ୍ଷତି


ଝାରସୁଗୁଡ଼ା, ୨୪ ଜୁଲାଇ (ହି.ସ.)-

ଝାରସୁଗୁଡ଼ା ଜିଲ୍ଲାରେ ସରକାରୀ କାମ ଆଳରେ ବେଆଇନ ମାଟି ଖନନ ଓ ଚୋରାଚାଲାଣ ଚିନ୍ତାର ବିଷୟ ପାଲଟିଛି। ପ୍ରଶାସନର କଟକଣା ଏବଂ ଆଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ କେତେକ ଦୁର୍ବୃତ୍ତ ସରକାରୀ ଓ ଚାଷଜମିରୁ ବିନା ଅନୁମତିରେ ମାଟି ଖନନ କରି ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଛି।

ନିୟମ ଅନୁଯାୟୀ, ମାଟି ଖନନ ପାଇଁ ରାଜସ୍ୱ ବିଭାଗର ଅନୁମତି ସହ ନିର୍ଦ୍ଧାରିତ ଶୁଳ୍କ ପ୍ରଦାନ ବାଧ୍ୟତାମୂଳକ। ତେବେ ମାଲିମୁଣ୍ଡା, ବାଲିଝୋରି, ଲହଣ୍ଡାବୁଡ଼, ବେହେରପାଟ, ଭୂଳିଆଟିକ୍ରା ଓ ଭାଲୁପତ୍ରା ଅଞ୍ଚଳରେ ଜେସିବି ଏବଂ ପୋକ୍ଲିନ୍ ମେସିନ୍ ସହାୟତାରେ ଦିନରାତି ବେଆଇନ ଭାବେ ମାଟି ଖନନ କରାଯାଉଥିବା ଅଭିଯୋଗ ହେଉଛି।

ଅଭିଯୋଗ ଅନୁସାରେ, କେତେକ ଠିକାସଂସ୍ଥା ସରକାରୀ ନିର୍ମାଣ ଓ ସଡ଼କ କାମର ଆଳ ଦେଖାଇ ଶହ ଶହ ଟ୍ରିପ୍ ମାଟି ଉଠାଇ ଅବୈଧ ଭାବେ ପରିବହନ କରୁଛନ୍ତି। ବିଶେଷକରି ମାଲିମୁଣ୍ଡା ଷ୍ଟାଡିୟମ ଗୋଲେଇ ଛକ ନିକଟରେ ବିନା କାଗଜପତ୍ରରେ ରାତିସାରା ମାଟି ଖନନ ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ବାରମ୍ବାର ଅଭିଯୋଗ ପରେ ଜିଲ୍ଲାପାଳ ବେହେରପାଟ ଅଞ୍ଚଳ ପରିଦର୍ଶନ କରି ଜିଲ୍ଲା ଖଣି ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଖଣି ବିଭାଗ ପକ୍ଷରୁ ଚଢ଼ଉ କରାଯାଇ କିଛି ଗାଡ଼ି ଜବତ ହେବା ସହ ପ୍ରାୟ ୨ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ତଥାପି ବେଆଇନ ମାଟି ଖନନ ଓ ଚୋରାଚାଲାଣରେ ଆଶାନୁରୂପ ରୋକ୍ ଲାଗିନଥିବା ଅଭିଯୋଗ ହେଉଛି।

ସରକାରୀ କାର୍ଯ୍ୟ ନାଁରେ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଥିବାରୁ ପ୍ରଶାସନ ତୁରନ୍ତ କଠୋର ପଦକ୍ଷେପ ନେଇ ବେଆଇନ ମାଟି ଖନନ ଓ ଚୋରାଚାଲାଣ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଏନେଇ ଜିଲ୍ଲା ଖଣି ଅଧିକାରୀ ଶଙ୍କର କିଷାନ କହିଛନ୍ତି, “ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ମାଟି ଖନନ ନେଇ ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande