ବ୍ରଜରାଜନଗର ଟ୍ରକ୍ ମାଲିକ ସଂଘ ନିର୍ବାଚନ ସୂଚୀ ଘୋଷଣା : ଅଗଷ୍ଟ ୨ରେ ମତଦାନ ଓ ଫଳାଫଳ
Notification for Brajrajnagar truck association
ବ୍ରଜରାଜନଗର ଟ୍ରକ୍ ମାଲିକ ସଂଘ ନିର୍ବାଚନ ସୂଚୀ ଘୋଷଣା : ଅଗଷ୍ଟ ୨ରେ ମତଦାନ ଓ ଫଳାଫଳ


ଝାରସୁଗୁଡ଼ା, ୨୪ ଜୁଲାଇ (ହି.ସ.)-

ବହୁ ପ୍ରତୀକ୍ଷିତ ବ୍ରଜରାଜନଗର ଟ୍ରକ୍ ମାଲିକ ସଂଘର ନିର୍ବାଚନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ନିର୍ବାଚନ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ଏହି ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନିର୍ବାଚନୀ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବାବେଳେ ସଂଘର ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନଙ୍କ ମଧ୍ୟରେ ଚଳଚଞ୍ଚଳତା ବଢ଼ିଛି।

ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଜୁଲାଇ ୨୫ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ଭାବେ ନିର୍ଦ୍ଧାରଣ କରାଯାଇଛି। ଜୁଲାଇ ୨୬ ତାରିଖରେ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଚିହ୍ନ ବଣ୍ଟନ କରାଯିବ। ଏହାପରେ ଜୁଲାଇ ୨୭ ତାରିଖରେ ଚୂଡ଼ାନ୍ତ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯିବ। ଅଗଷ୍ଟ ୨ ତାରିଖରେ ମତଦାନ ଅନୁଷ୍ଠିତ ହେବା ସହ ସେହିଦିନ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି।

ନବନିଯୁକ୍ତ ନିର୍ବାଚନ ଅଧିକାରୀ ତଥା ଝାରସୁଗୁଡ଼ା ଜିଲ୍ଲା ଓକିଲ ସଂଘର ସାଧାରଣ ସମ୍ପାଦକ ଆଇନଜୀବୀ ନିଳାଦ୍ରୀ ପଣ୍ଡା କହିଛନ୍ତି ଯେ, ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ, ନିରପେକ୍ଷ ଓ ଶୃଙ୍ଖଳିତ ପରିବେଶରେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରାର୍ଥୀମାନଙ୍କୁ ସମସ୍ତ ନିର୍ବାଚନୀ ପ୍ରକ୍ରିୟା ସମ୍ପନ୍ନ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ବ୍ରଜରାଜନଗର ଟ୍ରକ୍ ମାଲିକ ସଂଘ ଅଞ୍ଚଳର ଏକ ପ୍ରମୁଖ ବାଣିଜ୍ୟିକ ସଂଗଠନ ହୋଇଥିବାରୁ ଏହାର ନିର୍ବାଚନକୁ ନେଇ ସଦସ୍ୟମାନଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖାଦେଇଛି। ନିର୍ବାଚନ ସୂଚୀ ପ୍ରକାଶ ପାଇବା ପରେ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀ ଚୟନ ଏବଂ ନିର୍ବାଚନୀ ପ୍ରଚାରକୁ ନେଇ ସଂଘ ମହଲରେ ଚର୍ଚ୍ଚା ଜୋର ଧରିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande